ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ହାତରେ ଆଉ ୬ ଦିନ:ରାୟ ଅପେକ୍ଷାରେ ଅଯୋଧ୍ୟା, ଆଧାର

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ହାତରେ ଆଉ ମାତ୍ର ୬ଟି କାର୍ଯ୍ୟ ଦିବସ ରହିଛି। ଜଷ୍ଟିସ୍‌ ରଂଜନ ଗୋଗୋଇ ତାଙ୍କ ସ୍ଥାନରେ ଅକ୍ଟୋବର ୩ ତାରିଖରେ ଶପଥ ଗ୍ରହଣ କରିବେ। ତେବେ ଏହି ସୀମିତ ସମୟ ମଧ୍ୟରେ ଜଷ୍ଟିସ୍‌ ମିଶ୍ର ପ୍ରାୟ ୮ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ଏମିତି କି ଅବସର ପୂର୍ବରୁ ସେ କିଛି ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି ବୋଲି ଆଶା କରାଯାଉଛି। ପ୍ରଧାନ ବିଚାରପତିଙ୍କ ନିକଟରେ ଏବେ ଅଯୋଧ୍ୟା ଓ ଆଧାର ଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ପଡ଼ିରହିଛି। ରାଷ୍ଟ୍ରବାସୀଙ୍କ ସ୍ୱାର୍ଥକୁ ଆଖିରେ ରଖି ଜଷ୍ଟିସ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଭିନ୍ନ ଖଣ୍ଡପୀଠ ଏହି ସ୍ୱଳ୍ପ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବା ନେଇ ସମ୍ଭାବନା ରହିଛି।
ଜଷ୍ଟିସ୍‌ ମିଶ୍ର ଦେଶର ପ୍ରଥମ ପ୍ରଧାନ ବିଚାରପତି ଭାବେ ସର୍ବାଧିକ ସମ୍ବିଧାନ ପୀଠର ନେତୃତ୍ୱ ନେଉଛନ୍ତି। ଏମିତି କି ଅନେକ ଖଣ୍ଡପୀଠରେ ଅଧ୍ୟକ୍ଷତା କରି ଗୁଡ଼ାଏ ମାମଲାର ଫଇସଲା କରିଛନ୍ତି। ରାଜନୈତିକ, ଧାର୍ମିକ ଓ ଅର୍ଥନୈତିକ କ୍ଷେତ୍ର ପାଇଁ ମହତ୍ତ୍ୱପୂର୍ଣ୍ଣ ଥିବା ଅନେକ ମାମଲାର ସେ ଉପଯୁକ୍ତ ପରିଚାଳନା କରିଛନ୍ତି। ନିକଟରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ ନେତୃତ୍ୱରେ ପାଞ୍ଚଜଣିଆ ସମ୍ବିଧାନ ପୀଠ ଧାରା ୩୭୭ ବାବଦରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସମଲିଙ୍ଗୀ ସଂପର୍କକୁ ବର୍ଷ ବର୍ଷ ଧରି ଅପରାଧ ବିବେଚନା କରାଯାଉଥିବା ବେଳେ ଜଷ୍ଟିସ୍‌ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିଜର ଐତିହାସିକ ରାୟ ବଳରେ ଏହି ସଂପର୍କକୁ ଅପରାଧମୁକ୍ତ କରିଛନ୍ତି। ଫଳରେ ମାନବାଧିକାର କ୍ଷେତ୍ରରେ ଏହା ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରିଛି। ଏବେ ଜଷ୍ଟିସ୍‌ ମିଶ୍ରଙ୍କ ଅବସର ପାଇଁ ୮ରୁ କମ୍‌ ଦିନ ବାକି ଥିବା ବେଳେ ତନ୍ମଧ୍ୟରେ ୬ଟି କାର୍ଯ୍ୟଦିବସ ରହିଛି। ତାଙ୍କ ନେତୃତ୍ୱରେ ଗଠିତ ଭିନ୍ନ ଭିନ୍ନ ସମ୍ବିଧାନ ଖଣ୍ଡପୀଠ ୮ଟି ମାମଲାରେ ଶୁଣାଣି କରିବେ। ଆଧାର କାର୍ଡଠାରୁ ଅଯୋଧ୍ୟା ମାମଲା ଯାଏ ଏହି ୮ଟି ମାମଲାରେ ଜଷ୍ଟିସ୍‌ ମିଶ୍ରଙ୍କ ସମେତ ମୋଟ ୮ ଜଣ ବିଚାରପତି ରହିଛନ୍ତି। ଏମାନଙ୍କ ମଧ୍ୟରେ ଜଷ୍ଟିସ୍‌ କୁରିଆନ୍‌ ଯୋଶେଫ୍‌, ଏ କେ ସିକ୍ରି, ଆର୍‌ ଏଫ୍‌ ନରିମାନ୍‌, ଏ ଏମ୍‌ ଖାନ୍‌ଓ୍ଵିଲ୍‌କର, ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ସଂଜୟ କିଶନ୍‌ କୌଲ୍‌, ଏସ୍‌ ଅବ୍‌ଦୁଲ୍‌ ନାଜିର ଏବଂ ଇନ୍ଦୁ ମାଲ୍‌ହୋତ୍ରା ରହିଛନ୍ତି।
ଆଧାର ମାମଲାରେ ଏକାଧିକ ଆବେଦନ କରାଯାଇଛି। ଆଧାର ଦ୍ୱାରା ଲୋକଙ୍କ ଗୋପନ ତଥ୍ୟ ପ୍ରଘଟ ହୋଇଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟ ଏ ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହାନ୍ତି। ଆଧାର ମାମଲାରେ ସୁପ୍ରିମ୍‌କୋର୍ଟ ସାଢ଼େ ୪ ବର୍ଷ ତଳେ ନିଜ ରାୟ ସଂରକ୍ଷିତ ରଖିଥିଲେ।
ଦାଗୀ ନେତା ଅଯୋଗ୍ୟ ଘୋଷଣା ମାମଲାରେ ଆଜି ନିଷ୍ପତ୍ତି
ନୂଆଦିଲ୍ଲୀ, ୨୪/୯ : ଅପରାଧିକ ମାମଲା ସାମ୍ନା କରୁଥିବା ବିଭିନ୍ନ ଦାଗୀ ନେତାମାନେ ମାମଲା ଗୁଡ଼ିକରେ ଦୋଷୀସାବ୍ୟସ୍ତ ହେବା ପୂର୍ବରୁ ଅଯୋଗ୍ୟ ଘୋଷିତ ହେବେ କି ନା’ ସେନେଇ ଆସନ୍ତାକାଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ବର୍ତ୍ତମାନର ଆଇନ ବ୍ୟବସ୍ଥା ଅନୁଯାୟୀ ଅପରାଧିକ ମାମଲା ସାମ୍ନା କରୁଥିବା ସାଂସଦ ଏବଂ ବିଧାୟକମାନେ କେବଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଅଯୋଗ୍ୟ ଘୋଷିତ ହେଉଛନ୍ତି। କିନ୍ତୁ ଅପରାଧିକ ପୃଷ୍ଠଭୂମିର ନେତାମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ହୋଇଥିଲା। ଆସନ୍ତାକାଲି ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରିବେ ଏବଂ ଏହା ଉପରେ ନିଷ୍ପତ୍ତି ନେବେ। ଅନ୍ୟପକ୍ଷେ ଦାଗୀ ନେତାଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ପିଆଇଏଲ୍‌କୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର