୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନ ବିଚାରପତି ଭାବେ ଶପଥ ନେବାପରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ସେ ସମସ୍ତ ଭାରତୀୟଙ୍କୁ ସୁରକ୍ଷା ଦେବେ ଏବଂ ଦେଶର ସେବା କରିବା ତାଙ୍କର ପ୍ରାଥମିକତା। ଶପଥ ନେବାପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଦେଶ ସେବା କରିବା ତାଙ୍କର ପ୍ରାଥମିକତା। ଶପଥ ନେବାପରେ ପ୍ରଧାନ ବିଚାରପତି ସଂସଦରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଏକ ଟ୍ବିଟ୍‌ କରି କହିଛନ୍ତି- ‘ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିବାରୁ ତାଙ୍କୁ ଶୁଭେଚ୍ଛା। ତାଙ୍କର କାର୍ଯ୍ୟକାଳ ଫଳପ୍ରଦ ହେଉ।’ ଆଇନ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୧୯୫୯ ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ୧୯୭୯ରେ ଗ୍ରାଜୁଏଟ ହୋଇଥିଲେ। ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଏଲଏଲବି କରିଥିବା ବେଳେ ୧୯୮୩ରେ ସେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ଏଲଏଲଏମ୍‌ ଶେଷ କରିଥିଲେ। ୧୯୮୬ରେ ଜ‌ଷ୍ଟିସ ଚନ୍ଦ୍ରଚୂଡ଼ ‌ଏସ୍‌ଜେଡି (ଡକ୍ଟର ଅଫ୍‌ ଜୁଡିସିଆଲ ସାଇନ୍ସେସ୍‌) ଡିଗ୍ରି ହାସଲ କରିଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଜଷ୍ଟିସ ଚନ୍ଦ୍ରଚୂଡ଼ ଅତିରିକ୍ତ ସଲିସିଟର ଜେନେରାଲ୍‌ ଥିଲେ। ୧୯୯୮ରେ ବମ୍ବେ ହାଇକୋର୍ଟ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଇଥିଲେ। ମାର୍ଚ୍ଚ ୨୯, ୨୦୦୦ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ୨୦୧୩, ଅକ୍ଟୋବର ୩୧ରେ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ। ୨୦୧୬, ‌ମେ’ ୧୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ତାଙ୍କର ପଦୋନ୍ନତି ହୋଇଥିଲା।

ସମ୍ବନ୍ଧିତ ଖବର