ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍‌ ଫାତିମା ବିବିିଙ୍କର ଗୁରୁବାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୁତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା।

Advertisment

ସୂତ୍ରରୁ ପ୍ରକାଶ ଯେ ତାଙ୍କ ମୃତଦେହକୁ କେରଳର ପଥାନମଥିଟ୍ଟାସ୍ଥିତ ତାଙ୍କ ବାସଭବନକୁ ଅଣାଯିବ। ଆସନ୍ତାକାଲି (ନଭେମ୍ବର ୨୪) ପଥାନମଥିଟ୍ଟା ଜୁମା ମସଜିଦରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

୧୯୨୭ ମସିହା ଏପ୍ରିଲ ମାସରେ କେରଳର ପଥାନମଥିଟ୍ଟା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଫାତିମା ବିବି। ସେ ଅକ୍ଟୋବର ୬, ୧୯୮୯ରୁ ଏପ୍ରିଲ ୨୯, ୧୯୯୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ଥିଲେ। ଏହାପରେ ଫାତିମା ବିବି  ୨୫ ଜାନୁଆରି ୧୯୯୭ରୁ ଜୁଲାଇ ୩, ୨୦୦୧ ପର୍ଯ୍ୟନ୍ତ ତାମିଲନାଡୁର ରାଜ୍ୟପାଳ ଥିଲେ।

ସେ ୧୯୫୦ ମସିହାରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ପରେ ମୁନସଫ୍ ଭାବେ ନିଯୁକ୍ତ ହୋଇ ବିଚାର ବିଭାଗରେ ଚାକିରି ଆରମ୍ଭ କରିଥିଲେ। କ୍ରମେ ପଦୋନ୍ନତି ଲାଭ କରି ୧୯୮୩ ମସିହାରେ କେରଳ ହାଇକୋର୍ଟରେ ବିଚାରପତି ନିଯୁକ୍ତ ହୋଇଥିଲେ।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଜଷ୍ଟିସ୍‌ ଫାତିମା ବିବିଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ଯେ ଫାତିମା ବିବି ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର ପ୍ରଥମ ମହିଳା ଯିଏ ଉଚ୍ଚ ନ୍ୟାୟପାଳିକାର ଅଂଶ ହୋଇ ପାରିଥିଲେ। ସେ ପ୍ରଚଳିତ ସାମାଜିକ ବ୍ୟବସ୍ଥାର ନକାରାତ୍ମକ ଦିଗଗୁଡ଼ିକୁ ଆହ୍ଵାନ ଭାବେ ଗ୍ରହଣ କରି ସେସବୁକୁ ଦୂର କରିବାରେ ସକ୍ଷମ ହୋଇଥିଲେ। ଝିଅମାନେ ସମ୍ମୁଖୀନ ହେଉଥିବା ଶିକ୍ଷାଗତ ଆହ୍ଵାନକୁ ଅତିକ୍ରମ କରି ସେ ବିଚାରପତି ପଦ ପରି ଗୁରୁତ୍ୱପୂର୍ଣ୍ଣ ଆସନ ଅଳଂକୃତ କରିବାରେ ସମର୍ଥ ହୋଇପାରି ଥିଲେ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି।