ଭିନ୍ନଧର୍ମୀ ଦମ୍ପତିଙ୍କୁ ମିଳିଲା ନ୍ୟାୟ: ବଦଳି ହେଲେ ତାଙ୍କୁ ଅପମାନ ଦେଇଥିବା ପାସ୍‌ପୋର୍ଟ ଅଧିକାରୀ

ଲକ୍ଷ୍ନୌ: ଭିନ୍ନଧର୍ମୀ ଦମ୍ପତିଙ୍କୁ ସେମାନଙ୍କର ବିବାହ ବିଷୟରେ ଅପମାନଜନକ ପ୍ରଶ୍ନ ପଚାରିଥିବା ଅଭିଯୋଗରେ ଲକ୍ଷ୍ନୌ ଠାରେ ଥିବା ପାସ୍‌ପୋର୍ଟ ଅଫିସ୍‌ର ଜଣେ ସରକାରୀ ଅଧିକାରୀଙ୍କର ବଦଳି ହୋଇଛି।

ବୁଧବାର ଦିନ ଅସନ୍‌ ସିଦ୍ଦିକି ଏବଂ ତନ୍ଵି ସେଠ୍‌ ପାସ୍‌ପୋର୍ଟ ପାଇବା ନିମନ୍ତେ ବାଧ୍ୟତାମୂଳକ ବ୍ୟକ୍ତିଗତ ସାକ୍ଷାତ୍‌କାର ଦେବା ପାଇଁ ପାସ୍‌ପୋର୍ଟ ଅଫିସ୍‌କୁ ଯାଇଥିଲେ। ଅଫିସର୍‌ ବିକାଶ ମିଶ୍ର ତାଙ୍କ ପ୍ରତି ଅଶୋଭନୀୟ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି। ସେଠ୍‌ ଅଭିଯୋଗ କରିଛନ୍ତି ଯେ ମିଶ୍ର ଖାଲି ତାଙ୍କୁ ପାସ୍‌ପୋର୍ଟ ଦେବାକୁ ମନା କରି ନାହାନ୍ତି, ତାଙ୍କ ସ୍ୱାମୀଙ୍କ ପାସ୍‌ପୋର୍ଟ ରିନ୍ୟୁ କରିବାକୁ ମଧ୍ୟ ଅଗ୍ରାହ୍ୟ କରି ଦେଇଛନ୍ତି।

ସେ କୁଆଡ଼େ କହିଥିଲେ: ବିବାହ ପରେ ସବୁ ଝିଅ ନାଅାଁ ବଦଳାଇ ଦିଅନ୍ତି। ଆପଣ କାହିଁକି ବଦଳାଇଲେ ନାହିଁ?

ତାଙ୍କ ମନ୍ତବ୍ୟ ଶୁଣି ମୁଁ ଆଘାତ ପାଇଲି। ମୋର ସବୁ କାଗଜପତ୍ରରେ ମୋ ଅବିବାହିତ ବେଳର ନାଁ ଉଲ୍ଲେଖ ଅଛି ବୋଲି ଯେତେ କହିଲେ ବି ସେ ଶୁଣିଲେ ନାହିଁ। ମୁଁ ନୂଆ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲି। ମୋ ସ୍ୱାମୀ ତାଙ୍କ ପାସ୍‌ପୋର୍ଟ ରିନ୍ୟୁ କରିବାକୁ ଆସିଥିଲେ।

ମିଶ୍ର ମୋ ସ୍ୱାମୀଙ୍କୁ କହିଲେ: ଆପଣ ହୋମ ପରିକ୍ରମା କରନ୍ତୁ ନତୁବା ପତ୍ନୀଙ୍କୁ ତାଙ୍କ ସଂଜ୍ଞା ବଦଳାଇବାକୁ କୁହନ୍ତୁ।

ସେ ଦମ୍ପତି ଏକ ଘରୋଇ ସଂସ୍ଥାନରେ କାମ କରିନ୍ତି। ଏକ ଦଶନ୍ଧି ପୂର୍ବେ ବାହା ହୋଇଥିଲେ। ସେମାନଙ୍କର ୬ ବର୍ଷୀୟ ଝିଅଟିଏ ଅଛି।

ସେମାନଙ୍କୁ ପାସ୍‌ପୋର୍ଟ ସେଣ୍ଟର୍‌ର ଅନ୍ୟ ଜଣେ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ସେ ଅଧିକାରୀ ଜଣକ ସେମାନଙ୍କର ଅଭିଯୋଗ ଶୁଣି ତାଙ୍କୁ ଉଚ୍ଚ ଅଧିକାରୀଙ୍କ ନିକଟରେ ଫେରାଦ ହେବାକୁ କହିଲେ।

ମାମଲାରେ ହସ୍ତକ୍ଷେପ କରିବାକୁ ସେଠ୍‌ ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୟାଗ୍‌ କରିଥିଲେ।

ଏହି ମାମଲାର ତଦନ୍ତ କରିବାକୁ ସ୍ୱରାଜଙ୍କ ବ୍ୟକ୍ତିଗତ ସଚିବ ବିଜୟ ଦ୍ୱିବେଦୀ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପାସ୍‌ପୋର୍ଟ ଡିଭିଜନ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ କହିଥିଲେ।

ସେଠ୍‌ଙ୍କୁ ପ୍ରତିଶ୍ରୁତି ଦେଇ ପାସ୍‌ପୋର୍ଟ ଅଫିସ୍‌ ମଧ୍ୟ ଟୁଇଟ୍‌ କରିଥିଲା କି, ଯଦି ଅଭିଯୋଗ ସତ୍ୟ ହୁଏ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର