ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଭାରତ ଏୟାରଷ୍ଟ୍ରାଇକ୍ କରିଥିବା ବେଳେ ପ୍ରାୟ ୯୦୦ରୁ ଅଧିକ ଆତଙ୍କୀ ନିହତ ହୋଇଛନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦେହାନ୍ତ ହୋଇଥିବା ଲୋକଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ପର୍ଯ୍ୟଟକମାନଙ୍କୁ ଖଚରରେ ବସାଇ ବୁଲାଉଥିବା ସୟଦ ଆଦିଲ ହୁସେନ ଶାହଙ୍କ ପରିବାର ମଧ୍ୟ ଭାରତର ଏୟାରଷ୍ଟ୍ରାଇକ୍‌କୁ ପ୍ରଶଂସା କରିଛନ୍ତି। ଆଦିଲ ହୁସେନ ଶାହଙ୍କ ବାପା ସୟଦ ହାଇଦର ଶାହ ଏବଂ ତାଙ୍କ ଭାଇ ସୟଦ ନୱସାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି କାର୍ଯ୍ୟ ସେମାନଙ୍କୁ ଆଶ୍ୱସ୍ତି ଦେଇଛି। ସେ ବିଶ୍ବାସ କରୁଛନ୍ତି ଯେ, ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଗଲାଣି।

Advertisment

ସୟଦ ହାଇଦର ଶାହ କହିଛନ୍ତି ଯେ, "ଆମେ ଆଜି ମୋଦିଜୀ ଏବଂ ଆମ ସେନା ଦ୍ୱାରା କରାଯାଇଥିବା କାମରେ ବହୁତ ଖୁସି। ଆମ ପୁଅର ମୃତ୍ୟୁ ପରେ ଆମେ ଏହି ଦିନକୁ ଅପେକ୍ଷା କରିଥିଲୁ। ଆଜି ୨୬ଜଣଙ୍କ ମୃତ୍ୟୁର ପ୍ରତିଶୋଧ ଆଜି ସରକାର ନେଇଛନ୍ତି। ସରକାର ଏବଂ ସେନା ଆମ ଆଶା ପୂରଣ କରିଛନ୍ତି ଏବଂ ପାକିସ୍ତାନଠାରୁ ପ୍ରତିଶୋଧ ନେଇଛନ୍ତି। ଏହା କେବଳ ଆମ ପରିବାର ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଭାରତୀୟ ସେନା ପ୍ରମାଣ କରିଛି ଯେ, ଆତଙ୍କବାଦ ବିରୋଧରେ କୌଣସି ସାଲିସ କରାଯିବ ନାହିଁ।"

ସୟଦ ନୱାସଦ କହିଛନ୍ତି ଯେ, "ଭାରତୀୟ ସେନା ଯେପରି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ମୁଁ ଆଶାବାଦୀ ଯେ ଆତଙ୍କବାଦର ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ହେବ। ଏବେ ଆମେ ଅନୁଭବ କରୁଛୁ ଯେ, ଭାରତ ଆତଙ୍କବାଦୀମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଉପଯୁକ୍ତ ଜବାବ ଦେଇଛି। ଆଦିଲ ହୁସେନ ଶାହଙ୍କୁ ତାଙ୍କର ସାହସିକ କାର୍ଯ୍ୟ ପାଇଁ ମନେ ରଖାଯାଇଛି। ଆତଙ୍କବାଦୀ ଆକ୍ରମଣ ସମୟରେ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ।"