ଶପଥ ନେଲେ ଜଷ୍ଟିସ୍ ରଞ୍ଜନ ଗୋଗଇ

ଶପଥପାଠ କରାଇଲେ ରାଷ୍ଟ୍ରପତି ୨୦୧୯ ନଭେମ୍ବରରେ ଅବସର

ନୂଆଦିଲ୍ଲୀ: ଜଷ୍ଟିସ୍ ରଞ୍ଜନ ଗୋଗଇ ବୁଧବାର ଭାରତର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ଅବସର ନେଇଥିବା ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଗୋଗଇ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ବୁଧବାର ରାଷ୍ଟ୍ରପତି ଭବନର ଦର‌୍‌ବାର ହଲ୍‌ରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଗୋଗଇଙ୍କର ଶପଥପାଠ କରାଇଛନ୍ତି। ଭାରତର ଉତ୍ତରପୂର୍ବ ଅଞ୍ଚଳରୁ ପ୍ରଥମ ପ୍ରଧାନ ବିଚାରପତି ହୋଇଥିବା ୬୩ ବର୍ଷୀୟ ଜଷ୍ଟିସ୍ ଗୋଗଇ ୧୩ ମାସ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରି ୨୦୧୯ ନଭେମ୍ବର ୧୭ରେ ଅବସର ନେବେ। ୧୯୫୪ ନଭେମ୍ବର ୧୮ରେ ଆସାମର ଦିବ୍ରୁଗଡ଼ରେ ଜନ୍ମଗ୍ରହଣ କରିଥିବା ଗୋଗଇ ହେଉଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ଗୋଗଇଙ୍କର ସୁପୁତ୍ର। ସେ ୧୯୭୮ରେ ଗୌହାଟୀ ହାଇକୋର୍ଟ ବାର୍‌ରେ ଯୋଗଦେଇଥିଲେ ଏବଂ ଏହିଠାରୁ ହିଁ ଆଇଜଜୀବୀ ଭାବେ କ୍ୟ‌ାରିୟର ଆରମ୍ଭ କରିଥିଲେ। ୨୦୦୧ ଫେବ୍ରୁଆରି ୨୮ରେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହି ହାଇକୋର୍ଟରେ ଦୀର୍ଘ ୯ ବର୍ଷ ଧରି କାର୍ଯ୍ୟ କରିବା ପରେ ୨୦୧୦ ସେପ୍ଟେମ୍ବର ୯ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲେ। ବିଚାରପତି ଭବେ ବର୍ଷେ କାର୍ଯ୍ୟ କରିବା ପରେ ଜଷ୍ଟିସ୍ ଗୋଗଇ ୨୦୧୧ ଫେବ୍ରୁଆରି ୧୨ରେ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ପାଖାପାଖି ୧୩ରୁ ଊର୍ଦ୍ଧ୍ବ ମାସ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିବା ପରେ ୨୦୧୨ ଏପ୍ରିଲ୍ ୨୩ରେ ଦେଶର ସର୍ବୋଚ୍ଚ ଅଦାଲତକୁ ଜଣେ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।

ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ଜଷ୍ଟିସ୍ ଗୋଗଇ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଜଟିଳ ତଥା ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରଦାନରେ ସାମିଲ ହୋଇଛନ୍ତି। ସୁପ୍ରିମ୍ କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଶୁଣାଣିର ସିଧାପ୍ରସାରଣ ହେବାକୁ ଥିବା ବେଳେ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଗୋଗଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କୋର୍ଟରୁମ୍ ମଧ୍ୟରେ କ୍ୟାମେରା ସାମ୍ନାରେ ମାମଲାର ଶୁଣାଣି କରିବେ। ଏହାବ୍ୟତୀତ କ୍ଷମତାସୀନ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାଗୁଡ଼ିକର ପରିଚାଳନା ସକାଶେ ଦେଶରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ କରାଯିବା ପ୍ରସଙ୍ଗରେ ଜଷ୍ଟିସ୍ ଗୋଗଇ କାର୍ଯ୍ୟ କରୁଛନ୍ତି। ସେହିଭଳି ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ବାବଦ ଅଗ୍ରଗତି ସଂକ୍ରାନ୍ତରେ ଦେଖାରଖା କରୁଥିବା ଖଣ୍ଡପୀଠରେ ଜଷ୍ଟିସ୍ ଗୋଗଇ ମୁଖ୍ୟ ରହିଛନ୍ତି।

ବରିଷ୍ଠ ଓକିଲଙ୍କ ଦୈନିକ ଆୟ ଜଷ୍ଟିସ୍ ଗୋଗଇଙ୍କ ମୋଟ ସଂପତ୍ତିଠୁ ଅଧିକ
ନୂଆଦିଲ୍ଲୀ: ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ଦୀର୍ଘ ସମୟ ଧରି ବିଚାରପତି ରହିବା ସତ୍ତ୍ବେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କର ବ୍ୟକ୍ତିଗତ ସଂପତ୍ତି ବହୁତ କମ୍। ସଫଳ ତଥା ବରିଷ୍ଠ ଓକିଲଙ୍କ ସଂପତ୍ତିକୁ ଦେଖିଲେ, ଜଷ୍ଟିସ୍ ଗୋଗଇଙ୍କ ସଂପତ୍ତି କିଛି ନୁହେଁ। ଜଷ୍ଟିସ୍ ଗୋଗଇଙ୍କ ବ୍ୟାଙ୍କ ବାଲାନ୍ସ ଏବଂ ଜୀବନବ୍ୟାପୀ ସଞ୍ଚୟ ତଥା ତାଙ୍କର ଅନ୍ୟ ସଂପତ୍ତିଗୁଡ଼ିକୁ ମିଶାଇଲେ ମଧ୍ୟ ବରିଷ୍ଠ ଓକିଲଙ୍କ ଗୋଟିଏ ଦିନର ଆୟଠାରୁ ଏହା କମ୍ ହେବ। ସୁପ୍ରିମ୍ କୋର୍ଟର ଜଣେ ସଫଳ ତଥା ବରିଷ୍ଠ ଓକିଲଙ୍କ ଦୈନିକ ହାରାହାରି ଆୟ ପାଖାପାଖି ୫୦ ଲକ୍ଷ ଟଙ୍କା ହେବ।

ଅଳଙ୍କାର କି କାର୍ ନାହିଁ
ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗଇଙ୍କର କୌଣସି ଅଳଙ୍କାର କିମ୍ବା ନିଜସ୍ବ କାର୍ ନାହିଁ। ଏମିତି କି ତାଙ୍କ ପତ୍ନୀ ଯେଉଁ ଅଳଙ୍କାର ବ୍ୟବହାର କରୁଛନ୍ତି, ତାହା ତାଙ୍କର ନିଜସ୍ବ ନୁହେଁ। ତାଙ୍କ ପତ୍ନୀଙ୍କ ନିକଟରେ ଯାହା କିଛି ବି ଅଳଙ୍କାର ରହିଛି, ତାହାକୁ ବିବାହ ବେଳେ ସେମାନଙ୍କ ପିତାମାତା, ସଂପର୍କୀୟ ଏବଂ ବନ୍ଧୁବାନ୍ଧବ ଉପହାର ସ୍ବରୂପ ଦେଇଥିଲେ। ଜଷ୍ଟିସ୍ ଗୋଗଇଙ୍କ ଉପ‌ରେ କୌଣସି ଋଣ କିମ୍ବା ଉଧାରି ବାକି ନାହିଁ। ଗୌହାଟୀରେ ସେ କିଣିଥିବା ଫ୍ଲାଟ୍‌ ପରବର୍ତ୍ତୀ ସମୟରେ ବିକ୍ରି କରିଦେଇଥିବା ଜଣାପଡ଼ିଛି।

ଜାରି ହେଲା ନୂଆ ରୋଷ୍ଟର୍‌
ନିଜେ କରିବେ ଜନସ୍ବାର୍ଥ ମାମଲାର ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମ୍‌୍ କୋର୍ଟର ନୂତନ ପ୍ରଧାନ ବିଚାରପତି ରଂଜନ ଗୋଗଇ ଆଜି ନୂଆ ରୋଷ୍ଟର ଜାରି କରିଛନ୍ତି। ଏହି ନୂତନ ରୋଷ୍ଟର୍‌ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହା ମୁତାବକ ପ୍ରଧାନ ବିଚାରପତି ହିଁ ସମସ୍ତ ଜନସ୍ବାର୍ଥ ମାମଲାର ଶୁଣାଣି କରିବେ। ବିଚାରପତିମାନଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ଏହି ରୋଷ୍ଟର ଅନୁଯାୟୀ ପ୍ରଧାନ ବିଚାରପତି ଜନସ୍ବାର୍ଥ ମାମଲା, ନିର୍ବାଚନ ସମ୍ବନ୍ଧୀୟ ମାମଲା, କୋର୍ଟ ଅବମାନନା ସଂପର୍କିତ ମାମଲା, ହେବିୟସ କର୍ପସ, ସାମାଜିକ ନ୍ୟାୟ, ଅପରାଧିକ ମାମଲା, ସାମ୍ବିଧାନିକ ପଦରେ ନିଯୁକ୍ତି ମାମଲା ସମେତ ଅନ୍ୟ ମାମଲାର ଶୁଣାଣି କରିବେ। ଜନସ୍ବାର୍ଥ ମାମଲାର ଶୁଣାଣି କେଉଁ ବିଚାରପତିଙ୍କୁ ଦିଆଯିବ ତାହା ପ୍ରଧାନ ବିଚାରପତି ହିଁ ସ୍ଥିର କରିବେ। ଦ୍ବିତୀୟ ସ୍ଥାନରେ ଥିବା ବିଚାରପତି ଜଷ୍ଟିସ୍‌ ମଦନ ବି ଲୋକୁର ମଧ୍ୟ ଜନସ୍ବାର୍ଥ ମାମଲା ଶୁଣାଣି କରିବେ ବୋଲି ରୋଷ୍ଟର୍‌ରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର