ପ୍ରଥମ ଓଡ଼ିଆ ଭାବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବେ ନିଯୁକ୍ତି ପାଇ ସଂପ୍ରତି ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ଥିବା ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି ରବିବାର ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନର ରାଜ୍ୟପାଳ କାଲରାଜ ମିଶ୍ର ତାଙ୍କୁ ତାଙ୍କ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି ହେଉଛନ୍ତି ଓଡ଼ିଶାର ଖ୍ୟାତନାମା ଆଇନ୍‌ଜୀବୀ ବାରିଷ୍ଟର୍‌ ରଣଜୀତ ମହାନ୍ତିଙ୍କର ଜ୍ୟେଷ୍ଠ ପୁତ୍ର। ଲଣ୍ଡନରୁ ଏଲ୍‌ଏଲ୍‌ଏମ୍‌ ପାସ୍‌ କରି ଆସିବା ପରେ ଜଷ୍ଟିସ୍‌ ମହାନ୍ତି ତାଙ୍କ ପିତା ସ୍ୱର୍ଗତଃ ବାରିଷ୍ଟର୍‌ ମହାନ୍ତିଙ୍କ ଚାମ୍ବରରେ ତାଙ୍କର ଜଣେ ଜୁନିୟର୍‌ ଭାବେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିଲେ। ତେବେ ସ୍ୱର୍ଗତଃ ମହାନ୍ତିଙ୍କ ପରଲୋକ ପରେ ସେ ନାଲ୍‌କୋ, ପାରଦୀପ ପୋର୍ଟ, ମହାନଦୀ କୋଲ୍‌ଡ ଫିଲ୍‌ଡ ଲିମିଟେଡ୍‌ ପରି ବହୁ ଖ୍ୟାତନାମା ସଂସ୍ଥାର ଅଧିକୃତ ଆଇନ୍‌ଜୀବୀ ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ପରେ ୨୦୦୮ ମସିହାରେ ସେ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ମସିହାରେ ବମ୍ବେ ହାଇକୋର୍ଟକୁ ତାଙ୍କର ବଦଳି ହେବା ପର୍ଯ୍ୟନ୍ତ ସେ ଓଡ଼ିଶା ହାଇକୋର୍ଟରେ ବରିଷ୍ଠତମ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ବମ୍ବେ ହାଇକୋର୍ଟରେ ପ୍ରଥମ ଓଡ଼ିଆ ବିଚାରପତି ଥିବା ଜଷ୍ଟିସ୍‌ ଇନ୍ଦ୍ରଜିତ୍‌ ମହାନ୍ତି ସର୍ବପ୍ରଥମ ଓଡ଼ିଆ ଭାବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର