ଜଷ୍ଟିସ୍‌ ଯୋଶେଫ୍‌ଙ୍କ ବରିଷ୍ଠତା ବଦଳିବାରୁ ଖପ୍ପା

ନୂଆଦିଲ୍ଲୀ: ଜଷ୍ଟିସ୍‌ କେ ଏମ୍‌ ଯୋଶେଫ୍‌ଙ୍କ ବରିଷ୍ଠତା ବାବଦରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ କିଛି ସୁପ୍ରିମ୍‌କୋର୍ଟ ବିଚାରପତି ପ୍ରଶ୍ନ ଉଠାଇଛନ୍ତି। ଯୋଶେଫ୍‌ଙ୍କୁ ଯେଉଁ ସ୍ଥାନରେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ମିଳିବା କଥା ତାହା କରାଯାଇ ନାହିଁ। ବରଂ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ବିନୀତ୍‌ ଶରଣଙ୍କ ପଛକୁ ତାଙ୍କୁ ସ୍ଥାନିତ କରାଯାଇଛି। ତେଣୁ ଏ ନେଇ ସେମାନେ ଅଭିଯୋଗ କରିବେ ବୋଲି କହିଛନ୍ତି। ସେମାନେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ସାକ୍ଷାତ କରି ଏ ନେଇ ଆଲୋଚନା କରିବେ ବୋଲି ଦର୍ଶାଇଛନ୍ତି। ସେମାନଙ୍କ କହିବା କଥା ହେଲା ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିୟମ୍‌ ପ୍ରଥମେ ଜଷ୍ଟିସ୍‌ ଯୋଶେଫ୍‌ଙ୍କ ନାମ ସୁପାରିସ କରିଥିଲା। ଯୋଶେଫ୍‌ଙ୍କ ପରେ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ବିନୀତ୍‌ ଶରଣଙ୍କ ନାମ ସୁପାରିସ ହୋଇଥିଲା। କିନ୍ତୁ ବହୁ ବିବାଦ ପରେ କେନ୍ଦ୍ର ସରକାର ଜଷ୍ଟିସ୍‌ ଯୋଶେଫ୍‌ଙ୍କ ନାମକୁ ମଞ୍ଜୁରି ଦେଇଥିଲେ ହେଁ ତାଙ୍କୁ ସୁପାରିସ ଅନୁସାରେ ନିଯୁକ୍ତି ଦିଆଯାଇ ନାହିଁ। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୬ରେ ଜଷ୍ଟିସ୍‌ ଯୋଶେଫ୍‌ ନିଜର ଏକ ରାୟରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନକୁ ବାତିଲ କରି କଂଗ୍ରେସକୁ ଶାସନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ତାଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର