ହାଇକୋର୍ଟ ବିଚାରପତି ନିଯୁକ୍ତିରେ ସରକାର ହସ୍ତକ୍ଷେପ କରୁଛନ୍ତି

ଅବସର ପରଦିନ ମୁହଁ ଖୋଲିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ : ଅବସର ନେବାର ପରଦିନ ସୁପ୍ରିମକୋର୍ଟର ବିଚାରପତି କୁରିଏନ ଯୋଶେଫ ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ହାଇକୋର୍ଟ ବିଚାରପତି ନିଯୁକ୍ତିରେ ସରକାର ହସ୍ତପେକ୍ଷ କରୁଛନ୍ତି ବୋଲି ସେ କହିଛନ୍ତି। ଆଜି ଗଣମାଧ୍ୟମକୁ ସେ କହିଛନ୍ତି, ସେ କୌଣସି ସରକାରୀ କିମ୍ବା ରାଜନୈତିକ ଦଳର ଚାପ ଅନୁଭବ କରି ନାହାନ୍ତି। କିନ୍ତୁ ବିଚାରପତିଙ୍କ ନିଯୁକ୍ତି ଯେଭଳି ବିଳମ୍ବ କରାଯାଉଛି, ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଳମ୍ବ କରାଯାଉଛି ଏବଂ ସ୍ଥଗିତ ରଖାଯାଉଛି ତାହା ସବୁ ଏକପ୍ରକାର ହସ୍ତକ୍ଷେପ।

ଗତ ଜାନୁଆରି ୧୨ ତାରିଖରେ ସେ ଅନ୍ୟ ୩ ଜଣ ବିଚାରପତିଙ୍କ ସହିତ ସର୍ବୋଚ୍ଚ ଅଦାଲତର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେଥିନେଇ ସେ ଆଦୌ ଦୁଃଖିତ ନଥିବା କହିଛନ୍ତି। ଏପରିକି ‌ସେ ସଚେତନ ଭାବେ ଏକ କାରଣ ପାଇଁ ଏହି କାର୍ଯ୍ୟ କରିଥିଲେ। । ସେଥିପାଇଁ ଅନ୍ୟ ବିକଳ୍ପ ମଧ୍ୟ ନଥିଲା। ଯେତେବେଳେ ଆମେ ସେହି କାର୍ଯ୍ୟ କରିଥିଲୁ ସେତେବଳେ ଅନ୍ୟ କୌଣସି ବିକଳ୍ପ ନଥିଲା। ସେତେବେଳେ ଯେଉଁ ସମସ୍ୟା ପାଇଁ ସେମାନେ ମୁହଁ ଖୋଲିଥିଲେ ଏବେ ତାହାର ସମାଧାନ ହୋଇଛି କି ବୋଲି ପ୍ରଶ୍ନରେ ସେ କହିଥିଲେ, ସମ୍ପୂର୍ଣ୍ଣ ଭା‌ବରେ ଏହା କୁହାଯାଇ ପାରିବ ନାହିଁ ଯେ ‌ସେହି ସମସ୍ୟା ସମାଧାନ ହୋଇଛି। କାରଣ ତାହା ଥିଲା ଏକ ପ୍ରତିଷ୍ଠାନଗତ ସମସ୍ୟା। ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦୀର୍ଘ ସମୟ ଲାଗିଥାଏ। ତେବେ ଏହା ବଦଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ରଂଜନ ଗୋଗୋଇଙ୍କ ନାମ ନନେଇ ସେ କହିଥିଲେ, ସେତେବେଳେ ପରିବର୍ତ୍ତନ ପାଇଁ ଯେଉଁ ବିଚାରପତିମାନେ ମୁହଁ ଖୋଲିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଅଧିନାୟକ ଅଛନ୍ତି। ତେଣୁ ଅବସ୍ଥାରେ ପରିବର୍ତ୍ତନ ଆସିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର