ଜଷ୍ଟିସ୍‌ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଜଷ୍ଟିସ ଉଦୟ ଉମେଶ ଲଳିତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ପ୍ରଧାନ ବିଚାରପତି ଏନ୍‌ଭି ରମଣା ଗୁରୁବାର ଦିନ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ୟୁ ୟୁ ଲଳିତଙ୍କ ନାମ ସରକାରଙ୍କୁ ସୁପାରିସ କରିଛନ୍ତି। ଜଷ୍ଟିସ ରମଣା ବ୍ୟକ୍ତିଗତ ଭାବେ ଗୁରୁବାର ସକାଳେ ଏ ବାବଦ ସୁପାରିସ ପତ୍ରର ଏକ କପି ଜଷ୍ଟିସ ଲଳିତଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାପାଇଁ ଗତରାତିରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଅଫିସ ପକ୍ଷରୁ ସିଜେଆଇଙ୍କ ସଚିବାଳୟକୁ ଏକ ବିଜ୍ଞପ୍ତି ପଠାଯାଇଥିଲା। ପରମ୍ପରା ଅନୁଯାୟୀ ବିଦାୟ ନେବାକୁ ଯାଉଥିବା ପ୍ରଧାନ ବିଚାରପତି କେବଳ କେନ୍ଦ୍ର ଆଇନ ମନ୍ତ୍ରାଳୟ ଠାରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାପାଇଁ ବିଜ୍ଞପ୍ତି ପାଇବାପରେ ହିଁ ନାମ ସୁପାରିସ କରିଥାନ୍ତି। ତେଣୁ ଏହି ପରମ୍ପରା ଆଧାରରେ ସିଜେଆଇ ରମଣା ଆଜି କେନ୍ଦ୍ର ସରକାରଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିଛନ୍ତି।

ଜଷ୍ଟିସ ରମଣା ଅଗଷ୍ଟ ୨୬ରେ ଅବସର ନେବେ। ଏହାପରେ ଜଷ୍ଟିସ ଲଳିତ ‌ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ଜଷ୍ଟିସ ଲଳିତଙ୍କ କାର୍ଯ୍ୟକାଳ ଖୁବ୍‌ କମ୍‌ ୭୪ ଦିନ ରହିବ। ନଭେମ୍ବର ୮, ୨୦୨୨ ପର୍ଯ୍ୟନ୍ତ ସେ ପ୍ରଧାନ ବିଚାରପତି ପଦରେ ରହିବେ। ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠତମ ବିଚାରପତି ଥିବା ଜଷ୍ଟିସ ଲଳିତ ୧୯୮୩ ଜୁନ୍‌ରେ ଜଣେ ଆଡଭୋକେଟ୍‌ ଭାବେ କାମ ଆରମ୍ଭ କରିଥିଲେ। ଅନେକ ପ୍ରସଙ୍ଗରେ ସେ ଆମିକସ କ୍ୟୁରି ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ୨ଜି ମାମଲାରେ ବିଚାରଣ ପାଇଁ ତାଙ୍କୁ ସିବିଆଇର ସ୍ବତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ମିଳିଥିଲା। ଜଷ୍ଟିସ ଲଳିତ ୨ଟି କାର୍ଯ୍ୟକାଳ ପାଇଁ ସୁପ୍ରିମକୋର୍ଟ ଅଫ ଇଣ୍ଡିଆ ଲିଗାଲ ସର୍ଭିସେସ କମିଟିର ସଦସ୍ୟ ଥିଲେ। ୨୦୧୪ , ଅଗଷ୍ଟ ୧୩ରେ ତାଙ୍କୁ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର