‘ପ୍ରତିଶୋଧ’ର ରୂପ ନେଲେ ‘ନ୍ୟାୟ’ ବୈଶିଷ୍ଟ୍ୟ ହରାଇ ବସେ : ମୁଖ୍ୟବିଚାରପତି ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ‘ନ୍ୟାୟ କେବେ ବି ପ୍ରତିଶୋଧ ନୁହେଁ। ଯେତେବେଳେ ନ୍ୟାୟ ପ୍ରତିଶୋଧର ରୂପ ନିଏ ସେତେବେଳେ ତାହା ନିଜର ବୈଶିଷ୍ଟ୍ୟ ହରାଇବସେ।’ ଶନିବାର ଏଭଳି ମନ୍ତବ୍ୟ ଦେଇଛନ୍ତି ଦେଶର ମୁଖ୍ୟବିଚାରପତି ଜଷ୍ଟିସ ଶରତ ଅରବିନ୍ଦ ବୋବ୍‌ଡେ।

ଗତକାଲି ପ୍ରତ୍ୟୁଷରେ ହାଇଦ୍ରାବାଦ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ହେବା ପରେ ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ସେ କହିଛନ୍ତି, ‘ନ୍ୟାୟ ପ୍ରଦାନ ପ୍ରତିଶୋଧ ହେବା ଉଚିତ ନୁହେଁ। ମୁଁ ବିଶ୍ୱାସ କରେ, ଯଦି ନ୍ୟାୟ କରିବା କୌଣସି କ୍ରମେ ପ୍ରତିଶୋଧର ରୂପ ନିଏ, ତେବେ ତାହା ନ୍ୟାୟ ପଦବାଚ୍ୟ ନୁହେଁ।’

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ବ‌ୋବଡେ କହିଛନ୍ତି, ‘ନିକଟରେ ସଂଘଠିତ ଘଟଣାବଳି ପୁଣି ଥରେ ନ୍ୟାୟ ବ୍ୟବସ୍ଥାକୁ ନେଇ ଜାରି ରହିଥିବା ସେହି ପୁରୁଣା ପ୍ରସଙ୍ଗକୁ ଉଜ୍ଜୀବିତ କରିଛି। ଏକଥା ନିଃସନ୍ଦେହ ଯେ ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ସମୟର ଆହ୍ବାନକୁ ଗ୍ରହଣ କରିବା ଦରକାର ଓ ମାମଲାର ବିଚାର କ୍ଷେତ୍ରରେ ପରିଲକ୍ଷିତ  କୋହଳ ମନୋଭାବରେ ପରିବର୍ତ୍ତନ ଆଣିବା ଦରକାର। ତେବେ ନ୍ୟାୟ କେବେ ବି ତତ୍କାଳ ହୋଇପାରେ ନାହିଁ, ହେବା ମଧ୍ୟ ଉଚିତ ନୁହେଁ। ଆଉ କୌଣସି ପରିସ୍ଥିତିରେ ବି ପ୍ରତିଶୋଧକୁ ନ୍ୟାୟ ବୋଲି କୁହାଯାଇ ପାରିବ ନାହିଁ।’

ଏଥିପୂର୍ବରୁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଓ ଅନ୍ୟ ବରିଷ୍ଠ ବିଚାରପତିଙ୍କୁ ନିବେଦନ କରିଥିଲେ ଯେ ଦୁଷ୍କର୍ମ ମାମଲାଗୁଡ଼ିକର ତ୍ବରିତ ବିଚାର ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉ। କାରଣ ଦେଶର ମହିଳାମାନେ ବର୍ତ୍ତମାନ ମାନସିକ ଚାପ ଓ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି ଓ ସେମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଲାଗି ନ୍ୟାୟଭିକ୍ଷା କରୁଛନ୍ତି।

ସମ୍ବନ୍ଧିତ ଖବର