ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଥିବା ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଥିବା ବେଳେ ଆଜି ଅପରାହ୍ନରେ ଏସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣାନାମା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ଵିତୀୟ ବରିଷ୍ଠ ବିଚାରପତି ଭାବେ ଅବସ୍ଥାପିତ ଥିବା ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କୁ ପଦୋନ୍ନତି ଦେଇ ତାଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପ୍ରିମ କୋର୍ଟଙ୍କ କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି। ବିଚାରପତି ଏସ୍‌. ମୁରଲୀଧର ୨୦୦୬ ମସିହା ମେ ମାସରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଚଳିତବର୍ଷ ଫେବ୍ରୁଆରି ୨୬ ତାରିଖରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥଲା। ବର୍ତ୍ତମାନ ସେ ପଞ୍ଜାବ ଓ ହାଇକୋର୍ଟର ଦ୍ଵିତୀୟ ବରିଷ୍ଠ ବିଚାରପତି ଭାବେ ଅବସ୍ଥାପିତ ଅଛନ୍ତି।

ସୂଚନାଯୋଗ୍ୟ, ୧୯୮୪ରେ ବିଚାରପତି ଭାବେ ନିଯୁକ୍ତି ପାଇଥିବା ମୁରଲୀଧର ଚେନ୍ନାଇରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ଭୋପାଳ ଗ୍ୟାସ ଲିକ୍‌ ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ମାମଲା ଲଢ଼ି ସେ ଚର୍ଚ୍ଚାକୁ ଆସିଥିଲେ। ୨୦୦୬ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ନିଯୁକ୍ତି ପରେ ସେ ଏକାଧିକ ଗୁରୁତ୍ୱ ପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ, ଯାହାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ।

ସମ୍ବନ୍ଧିତ ଖବର