ଜଷ୍ଟିସ୍ ଏନ୍‌ଭି ରମନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ, ଆସନ୍ତା ୨୪ରେ ଶପଥ ନେବେ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଏନ୍‌ଭି ରମନା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମ୍‌କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ରମନାଙ୍କୁ ନିଯୁକ୍ତି ଦେଇଛନ୍ତି। ଏପ୍ରିଲ୍‌ ୨୩ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ଭାରତର ବର୍ତ୍ତମାନର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ସୁପାରିସକ୍ରମେ ରମନାଙ୍କୁ ନିଯୁକ୍ତି ମିଳିଛି। ସେ ହେବେ ଦେଶର ୪୮ତମ ପ୍ରଧାନ ବିଚାରପତି।

ଏପ୍ରିଲ୍‌ ୧୪ ତାରିଖରେ ରମନା ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଓ ତାଙ୍କର କାର୍ଯ୍ୟକାଳ ୨୦୨୨ ଅଗଷ୍ଟ ୨୬ ତାରିଖରେ ଶେଷ ହେବ। ବୋବ୍‌ଡ଼େଙ୍କ ପରେ ବିଚାରପତି ଏନ୍‌ଭି ରମନା ହେଉଛନ୍ତି ସୁପ୍ରିମ୍‌କୋର୍ଟର ସବୁଠୁ ବରିଷ୍ଠ ବିଚାରପତି।  ଆନ୍ଧ୍ର ପ୍ରଦେଶସ୍ଥିତ କ୍ରିଷ୍ଣା ଜିଲ୍ଲାର ପୁନାଭରମ୍ ଗ୍ରାମର ଏକ କୃଷକ ପରିବାର ୧୯୫୭ ଅଗଷ୍ଟ ୨୭ରେ ଜନ୍ମଲାଭ କରିଥିଲେ ରମନା।

ଜଷ୍ଟିସ୍ ରମନା ଜଣେ ଆଇନଜୀବୀ ଭାବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ୧୯୮୩ ମସିହାରେ ବୃତ୍ତି ଆରମ୍ଭ କରିଥିଲେ। ଏହାପରେ ସେ ଆନ୍ଧ୍ରପ୍ରଦେଶର ଆଡଭୋକେଟ୍ ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ।  ସେ ୨୦୦୦ ମସିହା ଜୁନ୍‌ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୪ ଫେବ୍ରୁଆରିରେ ସୁପ୍ରିମ୍‌କୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର