ନୂଆଦିଲ୍ଲୀ: କୌଣସି ରାୟକୁ ନେଇ ବ୍ୟକ୍ତିଗତ ଆକ୍ରମଣ ଠିକ ନୁହେଁ। ସୋସିଆଲ ମିଡିଆର ନିୟନ୍ତ୍ରଣ ଜରୁରୀ। ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଆବେଦନକୁ ଖାରଜ କରିଦେଇଥିବା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଜେ.ବି ପାରଦୀବାଲା ଏଭଳି ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣେ ବିଚାରପତିଙ୍କୁ କୌଣସି ରାୟ ପାଇଁ ବ୍ୟକ୍ତିଗତ ଭାବେ ଆକ୍ରମଣ କରାଯାଏ ସେତେବେଳେ ଏହା ଏକ ଭୟାନକ ପରିସ୍ଥିତି ସୃଷ୍ଟି କରେ। ଏହି କାରଣରୁ, ବିଚାରପତିମାନଙ୍କୁ ନ୍ୟାୟ ବିଷୟରେ ନ ଭାବି ଗଣମାଧ୍ୟମ କ’ଣ ଭାବିବ ସେ ବିଷୟରେ ଚିନ୍ତା କରିବାକୁ ବାଧ୍ୟ ହେବେ। ବର୍ତ୍ତମାନର ପରିସ୍ଥିତିକୁ ଚାହିଁ ସୋସିଆଲ ମିଡିଆର ନିୟନ୍ତ୍ରଣ ଜରୁରୀ ହୋଇପଡ଼ିଛି।
ସୂଚନାଯୋଗ୍ୟ, ନୂପୁର ଶର୍ମା ତାଙ୍କ ବିରୋଧରେ ଦେଶର ବିଭିନ୍ନ ସହରରେ ରୁଜୁ ହୋଇଥିବା ଏତଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସେ କହିଥିଲେ ଯେ ଯଦି ସେ ବିଭିନ୍ନ ସହରରେ ଥିବା ପୁଲିସ ଷ୍ଟେସନକୁ ଯାଇ ହାଜର ହୁଅନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡିପାରେ। ସୁପ୍ରିମକୋର୍ଟର ଯେଉଁ ଖଣ୍ଡପୀଠ ନୂପୁରଙ୍କ ଆବେଦନର ଶୁଣାଣି କରିଥିଲେ, ସେ ମଧ୍ୟରେ ଜଣେ ଥିଲେ ଜଷ୍ଟିସ ଜେ.ବି ପାରଦୀବାଲା। ଶୁଣାଣି ସମୟରେ ସେ କହିଥିଲେ ଯେ ଉଦୟପୁର ହତ୍ୟାକାଣ୍ଡ ପାଇଁ ନୂପୁର ଶର୍ମା ଦାୟୀ। ସେ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ୍। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଜେ.ବି ପାରଦୀବାଲାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ରମଣ କରାଯାଉଥିବାରୁ ଏନେଇ ଅସନ୍ତୋଷ ଜାହିର କରିଛନ୍ତି ଜଷ୍ଟିସ।
ପୂର୍ବତନ ଜଷ୍ଟିସ୍ ଏଚ୍.ଆର୍ ଖାନ୍ନାଙ୍କ ସ୍ମୃତିରେ କ୍ୟାନ୍ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଜାତୀୟ ସେମିନାରରେ ଜଷ୍ଟିସ୍ ଜେ.ବି ପାରଦୀୱାଲା କହିଛନ୍ତି ଯେ, ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ଉପରେ ନିୟନ୍ତ୍ରଣ ରହିବା ଉଚିତ୍। ବିଶେଷକରି ସମ୍ବେଦନଶୀଳ ବିଷୟ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ୍। ସଂସଦ ଏହା ଉପରେ ଲଗାମ ଲଗାଇବାକୁ ଚିନ୍ତା କରିବା ଉଚିତ୍।
ସେ ଆହୁରି କହିଛନ୍ତି ଯେ, ଆମ ସମ୍ବିଧାନ ଅନୁଯାୟୀ ଆଇନର ନିୟମ ବଜାୟ ରଖିବା ପାଇଁ ଦେଶରେ ଡିଜିଟାଲ ଏବଂ ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। ନିଜ ରାୟ ପାଇଁ ବିଚାରପତିଙ୍କ ଉପରେ ଆକ୍ରମଣ ହେବା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି ଯେଉଁଠାରେ ଆଇନ କ’ଣ କହୁଛି ତାହା ଅପେକ୍ଷା ଗଣମାଧ୍ୟମ କ’ଣ ଭାବୁଛି ବିଚାରପତିଙ୍କୁ ତାହା ଆଗ ଚିନ୍ତା କରିବାକୁ ପଡୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-27.jpg)