ସିବିଆଇ ବନାମ୍ ସିବିଆଇ : ତଦନ୍ତରେ ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ: ସିବିଆଇରେ ଦେଖାଦେଇଥିବା ସଙ୍କଟର ସମାଧାନ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ପ୍ରୟାସରେ ଏବେ ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସିିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ତଦନ୍ତ ପାଇଁ ଗଠିତ କମିଟିରେ ଜଷ୍ଟିସ୍‌ ପଟ୍ଟନାୟକ ଅଧ୍ୟକ୍ଷ ରହିବେ । ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ବିଚାରପତି ରହିଥିବା ପଟ୍ଟନାୟକ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି। ୨୦୧୨ରେ ଜଷ୍ଟିସ ପଟ୍ଟନାୟକ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସୁପ୍ରିମ କୋର୍ଟରେ ଚର୍ଚ୍ଚିତ ୨ଜି ସ୍ପେକ୍ଟ୍ରମ ମାମଲାର ଶୁଣାଣି ଚାଲିଥିଲା। ଶୁଣାଣି କରୁଥିବା ୨ ଜଣିଆ ଖଣ୍ଡପୀଠାରେ ଜଷ୍ଟିସ ପଟ୍ଟନାୟକ ଥିଲେ। ୨୦୧୬ରେ ଜଷ୍ଟିସ୍‌ ପଟ୍ଟନାୟକ କଲେଜିୟମ ବ୍ୟବସ୍ଥାକୁ ବିରୋଧ କରିଥିଲେ। କଲେଜିୟମ ବ୍ୟବସ୍ଥା ବିଚାରପତିଙ୍କ ଗୁଣବତ୍ତା ଉପରେ ପ୍ରଭାବ ପକାଇବ ବୋଲି ସେ କହିଥିଲେ। କଲେଜିୟମ ବ୍ୟବସ୍ଥାର କାମ କରିବା ଢଙ୍ଗ ମଧ୍ୟ ଠିକ୍‌ ନଥିବା ସେ କହିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ରାଜ‌ନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିବା ଏ.କେ. ପଟ୍ଟନାୟକ କଟକରେ ଆଇନ ଅଧ୍ୟୟନ କରିଥିଲେ।

୩ ଜୁନ୍‌ ୧୯୪୯ରେ ଜନ୍ମିତ ପଟ୍ଟନାୟକ ତାଙ୍କ କ୍ୟାରିଅର୍‌ ଓଡ଼ିଶାରୁ ଆରମ୍ଭ କରିଥିଲେ। ୧୯୭୪ରେ ସେ ଓଡ଼ିଶା ବାର୍‌ ଆସୋସିଏସନର ସଦସ୍ୟ ହୋଇଥିବା ବେଳେ ଏହାର ୨୦ ବର୍ଷ ପରେ ୧୯୯୪ରେ ସେ ଓଡ଼ିଶା ହାଇକୋଟର ଅତିରିକ୍ତ ସେସନ୍‌ ଜଜ୍ ନିଯୁକ୍ତ ହୋଇଥିଲେ। ଏହାପରେ ସେ ଗୌହାଟି ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଥିଲେ। ମାର୍ଚ୍ଚ ୨୦୦୫ରେ ଜଷ୍ଟିସ୍ ପଟ୍ଟନାୟକ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୦୫ ଅକ୍ଟୋବରରେ ସେ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ। ନଭେମ୍ବର ୨୦୦୯ରେ ତାଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା ଏବଂ ୨୦୧୪ରେ ସେ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର