ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲା ପ୍ରତି ଦିନ ଏକ ନୂଆ ମୋଡ଼ ନେଉଛି। ଆଜି ଏହି ମାମଲାର ତଦନ୍ତ ପାଇଁ ଗଠିତ ତିନି ଜଣିଆ ଆଭ୍ୟନ୍ତରୀଣ କମିଟିରୁ ଜଷ୍ଟିସ ଏନ୍ଭି ରମଣ ଓହରିଯାଇଛନ୍ତି। କମିଟିରେ ତାଙ୍କର ଉପସ୍ଥିତିକୁ ନେଇ ଅଭିଯୋଗକାରିଣୀ ଆପତ୍ତି ଉଠାଇବାରୁ ସେ ନିଜ ଆଡ଼ୁ କମିଟିରୁ ଓରିଯାଇଛନ୍ତି। ଅଭିଯୋଗକାରିଣୀ ଏହି ଆଭ୍ୟନ୍ତରୀଣ କମିଟିକୁ ଏକ ପତ୍ର ଲେଖି କହିଥିଲେ ଯେ ଜଷ୍ଟିସ ଗୋଗୋଇଙ୍କ ସହିତ ଜଷ୍ଟିସ ରମଣଙ୍କ ପାରିବାରିକ ସଂପର୍କ ରହିଛି। ସେ ତାଙ୍କ ଘରକୁ ଯିବା ଆସିବା କରନ୍ତି। ଉକ୍ତ କମିଟିରେ ଜଷ୍ଟିସ ରମଣ ରହିଲେ ତାଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ସେ କହିଥିଲେ। ତେବେ ଜଷ୍ଟିସ ରମଣଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାସହିତ ଏହି କମିଟିେର ଆଉ ଜଣେ ମହିଳା ବିଚାରପତିଙ୍କୁ ସାମିଲ କରିବା ଲାଗି ଅଭିଯୋଗକାରିଣୀ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ, ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ କୋର୍ଟ ବରିଷ୍ଠ ବିଚାରପତି ଜଷ୍ଟିସ ଏସ୍ଏ ବବ୍ଡେଙ୍କ ନେତୃତ୍ୱରେ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏଥିରେ ଜଷ୍ଟିସ ରମଣ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଅଛନ୍ତି।
ଇତିମଧ୍ୟରେ ଜଷ୍ଟିସ ରମଣଙ୍କ ସ୍ଥାନରେ ଆଉ ଜଣେ ମହିଳା ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଉକ୍ତ କମିଟିରେ ସାମିଲ କରାଯାଇଛି। ଗତବର୍ଷ ଏପ୍ରିଲ ମାସେର ସେ ସୁପ୍ରିମ କୋର୍ଟରେ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ଯେଉଁ ବିଶାଖା କମିଟଟି ଗାଇଡଲାଇନ୍ସ ପ୍ରସ୍ତୁତ କରିଥିଲା ସେହି କମିଟିେର ଜଷ୍ଟିସ ଇନ୍ଦୁ ସଭ୍ୟ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଧନୀମାନେ ନିଆଁ ସହ ଖେଳୁଛନ୍ତି: ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ଧନୀ ଏବଂ ପ୍ରଭାବଶାଳୀଙ୍କୁ ଚେତାଇବାର ସମୟ ଆସିଛି। ସେମାନେ ଦେଶର ସର୍ବୋଚ୍ଚ ନୟାଳୟକୁ ନିୟନ୍ତ୍ରଣ କରିପାରିବେନାହିଁ। ସେମାନେ ନିଅାଁ ସହ ଖେଳୁଛନ୍ତି। ସୁପ୍ରିମ କୋର୍ଟର ନ୍ୟାୟିକ ପ୍ରକ୍ରିୟାରେ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଧନୀ ଏବଂ ପ୍ରଭାବିଶାଳୀଙ୍କୁ ଏଭଳି ଭାଷାରେ ଚେତାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଏହା ଏକ ଷଡ଼ଯନ୍ତ୍ର ବୋଲି ଆଡ଼ଭୋକେଟ୍ ଉତ୍ସବ ବେଂସ ସତ୍ୟପାଠ ଦାଖଲ କରିବା ପରେ ମାମଲାର ଶୁଣାଣି ବେଳେ ଆଜି ସୁପ୍ରିମ କୋର୍ଟ ଏହା କହିଛନ୍ତି।
ସୂଚନା ଥାଉକି, ବେଂସ ତାଙ୍କ ସତ୍ୟପାଠରେ ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଉଥିବା ଦର୍ଶାଇଥିଲେ। ଉକ୍ତ ଷଡ଼ଯନ୍ତ୍ରରେ ଦାଉଦ୍ ଇବ୍ରାହିମର ଜଣେ ଘନିଷ୍ଟ ସହଯୋଗୀଙ୍କ ବ୍ୟତୀତ ଜଣେ ପ୍ରଭାବଶାଳୀ ଶିଳ୍ପପତି ଥିବା ଅଭିଯୋଗ କରିଥିଲେ। ଉକ୍ତ ଶିଳ୍ପପତିଙ୍କ ନାମ ନିର୍ଦିଷ୍ଟ ଭାବେ ଉଲ୍ଲେଖ କରିନଥିଲେ ମଧ୍ୟ ସେ ଦାଖଲ କରିଥିବା ଷଡ଼ଯନ୍ତ୍ରକାରୀ ବ୍ୟକ୍ତିଙ୍କ ସହ ଅନିଲ ଅମ୍ବାନୀଙ୍କ ନାମ ରହିଥିବା କୁହାଯାଉଛି।
ତଥ୍ୟ ଅନୁଯାୟୀ, ବେଂସ ଅଭିଯୋଗ କରିଛନ୍ତି ଯେ ଗୋଗୋଇଙ୍କ ଦ୍ୱାରା ବହିଷ୍କୃତ କୋର୍ଟର ଦୁଇ କର୍ମଚାରୀ, ମାନବ ଶର୍ମା ଏବଂ ତପନ କୁମାର ଚକ୍ରବର୍ତୀ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି।
ରିଲାଏନ୍ସ୍ ଏରିକ୍ସନ କମ୍ପାନୀକୁ ୫୫୦ କୋଟି ଋଣ ପରିଷଧ ମାମଲାରେ ସୁପ୍ରିମ କୋର୍ଟ ଅନିଲ ଅମ୍ବାନୀଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ। ଉକ୍ତ ମାମଲାରେ ଏହି ଦୁଇ ଜଣ କୋର୍ଟ କର୍ମଚାରୀ ଅମ୍ବାନୀଙ୍କ ବ୍ୟକ୍ତିଗତ ହାଜିରା ସମାପ୍ତ ହୋଇଯାଇଛି ବୋଲି ୱେବ୍ସାଇଟ୍ରେ ଦର୍ଶାଇବା ଅଭିଯୋଗ ଆସିବା ପରେ ଉଭୟଙ୍କୁ ପ୍ରଧାନ ବିଚାରପତି ଗୋଗୋଇ ଚାକିରିରୁ ବହିଷ୍କାର ନିର୍ଦେଶ ଦେଇଥିଲେ।