‘ଏନ୍‌ଏଚ୍‌ଆର୍‌ସି’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ର

ନୂଆଦିଲ୍ଲୀ: ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ର ଆଜି ‘ଜାତୀୟ ମାନବ ଅଧିକର ଆୟୋଗ’ର ଅଧ୍ୟକ୍ଷଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ସେ ସୁପ୍ରିମ୍‌ କୋର୍ଟରୁ ଅବସର ଗ୍ରହଣ କରିଥିଲେ।

ସୋମବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ, ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନେଇ ଗଠିତ କମିଟି ଉକ୍ତ ପଦବୀ ନିମନ୍ତେ ବିଚାରପତି ମିଶ୍ରଙ୍କ ନାମ ସୁପାରିସ କରିଥିଲେ।

ନିଯୁକ୍ତି କମିଟି ମଧ୍ୟ ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ଅରୁଣ କୁମାର ମିଶ୍ରଙ୍କ ନାମ ମାନବ ଅଧିକାର କମିଟିକୁ ସୁପାରିସ କରିଥିଲା।

୧୯୭୮ ମସିହାରେ ବିଚାରପତି ଅରୁଣ କୁମାର ମିଶ୍ର ଜଣେ ଓକିଲ ଭାବେ ତାଲିକାଭୁକ୍ତ ହୋଇଥିଲେ। ୧୯୯୮-୯୯ ବର୍ଷ ପାଇଁ ସେ ‘ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ’ର କନିଷ୍ଠତମ ଅଧ୍ୟକ୍ଷଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ଅକ୍ଟୋବର ୧୯୯୯ରେ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୪ ଜୁଲାଇ ୭ ତାରିଖରେ ସୁପ୍ରିମ୍‌ କୋର୍ଟରେ ଯୋଗ ଦେବା ପୂର୍ବରୁ ସେ ରାଜସ୍ଥାନ ଓ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର