ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବାକୁ କେନ୍ଦ୍ର ସରକାରଙ୍କୁ କରାଯାଇଥିବା ସୁପାରିସକୁ ଆଜି ସୁପ୍ରିମକୋର୍ଟ କଲେଜିୟମ ଫେରାଇ ନେଇଛନ୍ତି। ଗତ ବର୍ଷ ସେପ୍ଟେମ୍ବର ୨୮ରେ କଲେଜିୟମ ଜଷ୍ଟିସ ଏସ୍. ମୁରଲୀଧରଙ୍କ ବଦଳି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ସୁପାରିସ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଥିବା ଓ ଏହାର ଉତ୍ତର କେନ୍ଦ୍ର ପକ୍ଷରୁ ଦିଆଯାଇ ନଥିବା କଲେଜିୟମଙ୍କ ସଂକଳ୍ପ (ରିଜଲ୍ୟୁସନ୍)ରେ କୁହାଯାଇଛି।
ଜଷ୍ଟିସ ମୁରଲୀଧରଙ୍କ ଚଳିତ ବର୍ଷ ଅଗଷ୍ଟ ୮ରେ କାର୍ଯ୍ୟକାଳ ଶେଷ ହେବ। ତାଙ୍କ ଅବସର ଆଉ ୪ ମାସରୁ କମ୍ ସମୟ ରହିଛି ବୋଲି ଏଥିରେ ସୂଚନା ଦିଆଯାଇଛି। ବିଳମ୍ବକୁ ଦୃଷ୍ଟିରେ ରଖି କଲେଜିୟମ ଜଷ୍ଟିସ ମୁରଲୀଧରଙ୍କ ବଦଳି ସୁପାରିସକୁ ଫେରାଇ ନେଇଛନ୍ତି, ଯାହା ଫଳରେ ମାଡ୍ରାସ ହାଇକୋର୍ଟର ସ୍ଥାୟୀ ମୁ୍ଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ୍.ଭି ଗଙ୍ଗାପୁରୱାଲାଙ୍କ ନିଯୁକ୍ତି ସହଜ ହେବ। ମାଡ୍ରାସ ହାଇକୋର୍ଟରେ ଛଅ ମାସରୁ ଊର୍ଦ୍ଧ୍ବ ହେଲା ସ୍ଥାୟୀ ମୁଖ୍ୟ ବିଚାରପତି ନାହାନ୍ତି ବୋଲି ସଂକଳ୍ପରେ ଉଲ୍ଲେଖ କରାଯାଇଛି।