କେନ୍ଦ୍ର ଆଇନ ମନ୍ତ୍ରାଳୟ ବିଜ୍ଞପ୍ତି: ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟ ନୂଆ ବିଚାରପତି

କଲିକତା ହାଇକୋର୍ଟକୁ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ ବଦଳି

ନୂଆଦିଲ୍ଲୀ/କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାଶଙ୍କର କଲିକତା ହାଇକୋର୍ଟକୁ ବଦଳି ହୋଇଛି। ଏ ନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୨୦ ସୁଦ୍ଧା ସେ କଲିକତା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସେହିଭଳି ଭାବେ ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ନେଇ ମଧ୍ୟ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମ ଦେଶର ୬ଟି ହାଇକୋର୍ଟର ୬ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଥିଲା।

ଜଷ୍ଟିସ ଚିତ୍ତରଂଜନ ଦାଶ ୨୦୦୯, ଅକ୍ଟୋବର ୭ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେହିପରି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ୨୦୧୧, ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩, ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର