ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ଆଜି ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ପ୍ରଧାନ ବିଚାରପତି ବି.ଆର୍‌. ଗୱାଇଙ୍କ ସ୍ଥାନରେ ୨୪ ନଭେମ୍ବର ୨୦୨୫ରୁ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ ଗୱାଇ ୨୩ ନଭେମ୍ବରରେ ଅବସର ନେବେ। ନୂଆ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ୨୦୨୭ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ରହିବ। 

Advertisment

ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନିଯୁକ୍ତି  ସିଜେଆଇ ଗୱାଇଙ୍କ ସୁପାରିସ ଅନୁଯାୟୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଏକ୍ସ’ରେ ଘୋଷଣା କରି କହିଛନ୍ତି, ‘ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ୨୪ ନଭେମ୍ବର ୨୦୨୫ରୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି।’  ଆଇନ ମନ୍ତ୍ରୀ ନୂଆ ସିଜେଆଇଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ହରିୟାଣାରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ କାନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଏବଂ ହିମାଚଳ ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ୨୦୧୯ ମେ’ରେ ସେ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତ ହୋଇଥିଲେ। ସେ ଶାସନ, ପରିବେଶ ସୁରକ୍ଷା, ସାମ୍ବିଧାନିକ ପ୍ରଶ୍ନ ଓ ସାମାଜିକ ନ୍ୟାୟ ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ରାୟ ପାଇଁ ପରିଚିତ।

ସିଜେଆଇ ଭାବେ ସୂର୍ଯ୍ୟ କାନ୍ତଙ୍କ  କାର୍ଯ୍ୟକାଳରେ ନିର୍ବାଚନ ସୁଧାର, ଆପରାଧିକ ନ୍ୟାୟ ବ୍ୟବସ୍ଥା ସଂସ୍କାର ଓ ଡିଜିଟାଲ ଗୋପନୀୟତା ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ହେବ।