ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ସେ ପ୍ରାୟ ୧୫ ମାସ କାର୍ଯ୍ୟ କରି ୨୦୨୭ ‌ଫେବ୍ରୁଆରି ୯ରେ ଅବସର ନେବେ। 

Advertisment

୧୯୬୨ ମସିହା ଫେବ୍ରୁଆରି ୧୦ରେ ହରିୟାଣା ହିସାରର ନରନୌଡ଼ ଅଞ୍ଚଳର ପେଟୱାଡ଼ ଗ୍ରାମରେ ଜନ୍ମିତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୧୯୮୪ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଛନ୍ତି। ସେହି ବର୍ଷ ସେ ହିସାର ଜିଲ୍ଲା କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ଏବଂ ପରେ ଚଣ୍ଡୀଗଡ଼କୁ ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ସାମ୍ବିଧାନିକ, ସେବା ଓ ନାଗରିକ ଆଇନରେ ଅଭ୍ୟାସ କରିଥିଲେ। ତିନି ଦଶନ୍ଧି ପରେ ବିଚାରପତି ଭାବରେ କାର୍ଯ୍ୟ କରୁଥିବା ସମୟରେ, ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଆଇନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୩୮ ବର୍ଷ ବୟସରେ ସେ ୨୦୦୦ ମସିହାରେ ହରିୟାଣାର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍ ହୋଇଥିଲେ। ୨୦୦୪ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ହୋଇଥିଲେ। ମେ ୨୦୧୯ରେ ସେ ସୁପ୍ରିମ୍‌କୋର୍ଟକୁ ପଦୋନ୍ନତି ପାଇବା ପୂର୍ବରୁ ଅକ୍ଟୋବର ୨୦୧୮ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇଥିଲେ।