ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଏନଭି ରମନ୍ନା ଅଗଷ୍ଟ ୨୬ରେ ଅବସର ନେବେ। ଏହା ପରେ ଅଗଷ୍ଟ ୨୭ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।

ଜଷ୍ଟିସ୍ ଲଳିତ ନଭେମ୍ବର ୯, ୧୯୫୭ରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ଜୁନ୍ ୧୯୮୩ରେ ତାଙ୍କର ଆଇନଗତ କ୍ୟାରିଅର୍ ଆରମ୍ଭ କରିଥିବା ବେଳେ ଡିସେମ୍ବର ୧୯୮୫ପର୍ଯ୍ୟନ୍ତ ସେ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରିଥିଲେ। ପରେ ସେ ଦିଲ୍ଲୀ ଯାଇଥିଲେ। ତାଙ୍କୁ ଏପ୍ରିଲ ୨୦୦୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ବରିଷ୍ଠ ଓକିଲ ଭାବେ ନିଯୁକ୍ତି ମିଳିଥିଲା। ଏବେ ଦୀର୍ଘଦିନର ଅଭିଜ୍ଞତା ସହ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୪ରେ ଜଷ୍ଟିସ ୟୁୟୁ ଲଲିତଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରିଥିଲେ ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମନ୍ନାଙ୍କ ତଳକୁ ରହିଥିଲେ ଜଷ୍ଟିସ ଉଦୟ ଉମେଶ ଲଳିତ । ଏଣୁ ପ୍ରଚଳିତ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ନୂଆ ପ୍ରଧାନ ବିଚାରପତି ପଦ ପାଇଁ ତାଙ୍କ ନାମ ସୁପାରିସ କରିବାର ସମ୍ଭାବନା ରହିଥିଲା। ତେବେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟଦିବସ କେବଳ ୭୪ଦିନର ହେବ। ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ନେବେ। ଗତ ବର୍ଷ ଏପ୍ରିଲରେ ଏସ ଏ ବବଦେଙ୍କ ପରେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ୧୬ମାସରୁ ଅଧିକ ଥିଲା।

ତେବେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଲିତଙ୍କ ତଳେ ଅଛନ୍ତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ । ଏଣୁ ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର