ମୁହଁ ଖୋଲିଲେ ମୋଦି: କଠୁଆ ଓ ଉନାଓ ଘଟଣା ଦେଶ ପାଇଁ ଲଜ୍ଜା, କାହାରିକୁ ଛଡାଯିବନାହିଁ

ନୂଆଦିଲ୍ଲୀ: ଜମ୍ମୁର କଠୁଆ ଓ ଉତ୍ତରପ୍ରଦେଶର ଉନାଓରେ ହୋଇଥିବା ଦୁଷ୍କର୍ମ କୁ ନେଇ ସାରା ଦେଶରେ ଅସନ୍ତୋଷ ବଢିଚାଲିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଏପରି ଘଟଣା ଆମ ସଭ୍ୟ ସମାଜ ପାଇଁ ଏକ ଲଜ୍ଜାର ବିଷୟ । ଏପରି ଘଟଣା ଆମ ସମାଜରେ ନ୍ୟାୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଛି । ଏଠାରେ ଆମ୍ବେଦକର ନ୍ୟାସନାଲ ମେମୋରିଆଲକୁ ଉଦଘାଟନ କରିବା ଅବସରରେ ସେ କହିଛନ୍ତି ଯେ ଏପରି ଘଟଣା ଆମ ଦେଶ ପାଇଁ ଏକ ଲଜ୍ଜା । ଏହା ମାନବ ସଂବେଦନଶୀଳତା ଉପରେ ଆଘାତ କରୁଛି । କିନ୍ତୁ ଏପରି କାଣ୍ଡ ଘଟାଇଥିବା କୌଣସି ଅପରାଧୀ ଆଇନର ହାତରୁ ବଞ୍ଚିପାରିବେ ନାହିଁ ଓ ପୀଡିତାଙ୍କୁ ନ୍ୟାୟ ନିଶ୍ଚିତ ଭାବରେ ମିଳିବ ବୋଲି ସେ କହିଛନ୍ତି ।

ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସଂପର୍କରେ ସେ କହିଛନ୍ତି ଯେ ଆମକୁ ଆମ ପରିବାର ଓ ସମାଜର ମୂଲ୍ୟବୋଧକୁ ସୁଦୃଢ କରିବାକୁ ପଡିବ । ଏହା ମାଧ୍ୟମରେ ହିଁ ଆମେ ବାବା ସାହେବଙ୍କ ସ୍ୱପ୍ନକୁ ସାକାର କରିପାରିବା । କଂଗ୍ରେସ ଦେଶରେ ଏତେ ବର୍ଷ ଶାସନ କରିଥିଲେ ମଧ୍ୟ ଦଳିତଙ୍କ ଉନ୍ନତି ପାଇଁ କିଛି କରିନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର