ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ବି ଆର୍ ଗଭାଇ, ସୂର୍ଯ୍ୟ କାନ୍ତ, ଅନିରୁଦ୍ଧ ବୋଷ ଓ ଏ ଏସ୍ ପୋପାନ୍ନାଙ୍କୁ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ବି ଆର୍ ଗଭାଇ, ସୂର୍ଯ୍ୟ କାନ୍ତ, ଅନିରୁଦ୍ଧ ବୋଷ ଓ ଏ ଏସ୍ ପୋପାନ୍ନାଙ୍କୁ ନିଯୁକ୍ତି ଦେବାକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପତ୍ରରେ ସ୍ୱାକ୍ଷର କରିଛନ୍ତି। କଲେଜିୟମ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଏହି ଚାରିଜଣ ବିଚାରପତିଙ୍କ ନାମ ଗତ ମେ’ ୮ ତାରଖରେ ସୁପାରସ୍ କରିଥିଲେ। ସୁପାରିସ୍ କରିବାର ପ୍ରାୟ ଦୁଇ ସପ୍ତାହ ପରେ ରାଷ୍ଟ୍ରପତି କଲେଜିୟମର ସୁପାରିସ୍କୁ ଗ୍ରହଣ କରିବା ସହ ନୁତନ ବିଚାରପତିମାନଙ୍କ ନିଯୁକ୍ତି ବିଜ୍ଞପ୍ତିରେ ସ୍ୱାକ୍ଷର କରିଛନ୍ତି।
ଏହି ଚାରିଜଣ ବିଚାରପତିଙ୍କ ନିଯୁକ୍ତି ପରେ ପୁପ୍ରିମ୍ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇବ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ସୁପ୍ରିମ୍ କୋର୍ଟର ମୋଟ ବିଚାରପତିଙ୍କ ସଂଖ୍ୟା ହେଉଛି ୩୧। ସୁପ୍ରିମ୍ କୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ୍ ବି ଆର୍ ଗଭାଇ ପୂର୍ବରୁ ବମ୍ବେ ହାଇକୋର୍ଟର (ନାଗପୁର ବେଞ୍ଚ)ର ବିଚାରପତି ଥିବାବେଳେ, ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସେହିପରି ଜଷ୍ଟିସ୍ ଅନିରୁଦ୍ଧ ବୋଷ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ତେବେ, ଜଷ୍ଟିସ୍ ବି ଆର୍ ଗଭାଇଙ୍କୁ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯିବା ପରେ ଦେଶର ସର୍ବୋଚ୍ଚ ଅଦାଲତ ଜଣେ ଦଳିତ ବିଚାରପତିଙ୍କୁ ପାଇଲା। ଏହା ପୂର୍ବରୁ ବିଗତ ୯ ବର୍ଷ ଧରି ସୁପ୍ରିମ୍ କୋର୍ଟରେ ଦଳିତ ସଂପ୍ରଦାୟର କେହି ବିଚାରପତି ନଥିଲେ।