ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚରାପତି ଭାବେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଦାୟିତ୍ୱ ନ ମିଳିଲେ ସମସ୍ତ ଆଶଙ୍କା ସତ ପ୍ରମାଣିତ ହେବ ବୋଲି ଆଜି ଜଷ୍ଟିସ୍‌ ଜେ.ଚେଲାମେଶ୍ୱର କହିଛନ୍ତି। ଗତ ଜାନୁଆରି ୧୨ ତାରିଖ ଦିନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡାକି ଅଭିଯୋଗ ଆଣିବା ପରେ ଜଷ୍ଟିସ୍‌ ଗୋଗୋଇ, ଜଷ୍ଟିସ୍‌ ଚେଲାମେଶ୍ୱର, ଜଷ୍ଟିସ୍‌ ଏମ୍‌.ବି.ଲୋକୁର ଓ କୁରିଏନ୍‌ ଜୋସେଫଙ୍କ ପଦୋନ୍ନତି ନେଇ ପ୍ରଶ୍ନ ଉଠିଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଲୋକତନ୍ତ୍ରରେ ନ୍ୟାୟପାଳିକାର ଭୂମିକା’ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ସେ ଚିନ୍ତିତ ନାହାନ୍ତି, କିନ୍ତୁ ଯଦି ଜଷ୍ଟିସ୍‌ ଗୋଗୋଇଙ୍କୁ ପ୍ରଧାନ ବିଚାରପତି ହେବାର ସୁଯୋଗ ଦିଆନଯାଏ, ତା’ହେଲେ ସେମାନେ ଆଣିଥିବା ସମସ୍ତ ଅଭିଯୋଗ ସତ୍ୟ ପ୍ରମାଣିତ ହେବ। ପୂର୍ବତନ ଓଡ଼ିଶା ହାଇକୋର୍ଟ ବିଚାରପତି ଆଇଏମ୍‌ କୁଦ୍ଦୁସିଙ୍କ ମାମଲା ସମ୍ପର୍କରେ ମତବ୍ୟକ୍ତ କରି ସେ କହିଥିଲେ, ଉକ୍ତ ମାମଲା ସମ୍ବିଧାନ ପୀଠକୁ ପଠାଇବା ପଛରେ କେବଳ ନ୍ୟାୟ ବ୍ୟବସ୍ଥାର ସୁରକ୍ଷାକୁ ଧ୍ୟାନରେ ରଖାଯାଇଥିଲା। ହାଇକୋର୍ଟର ଜଣେ ପୁର୍ବତନ ବିଚାରପତି ପ୍ରଥମେ ଗିରଫ ହେବା ପରେ ଜାମିନ୍‌ରେ ମୁକୁଳିବା ଆଦି ଘଟଣାରେ ତାଙ୍କ ସମ୍ମୁଖରେ ଉପସ୍ଥାପନ ହୋଇଥିବା ତଥ୍ୟରୁ ସେ ଅନୁଭବ କରିଥିଲେ, ଜଷ୍ଟିସ୍‌ କୁଦ୍ଦୁସି ନ୍ୟାୟ ବ୍ୟବସ୍ଥାକୁ କଳଙ୍କିତ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ତାଙ୍କ ବିଚାର ପାଇଁ ୫ଜଣିଆ ସମ୍ବିଧାନ ପୀଠକୁ ମାମଲା ପଠାଯାଇଥିଲା ବୋଲି ଜଷ୍ଟିସ ଚେଲାମେଶ୍ୱର କହିଛନ୍ତି।

Advertisment

ଏହା ସହିତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଆଣିବାକୁ ଥିବା ମହାଭିଯୋଗ ପ୍ରସ୍ତାବକୁ ମଧ୍ୟ ସେ ନାପସନ୍ଦ କରିଥିଲେ। ସେ କହିଥିଲେ ଯେ, ନ୍ୟାୟପାଳିକାର ପଦ୍ଧତିରେ ପରିବର୍ତ୍ତନ ଆଣିବା ଆବଶ୍ୟକତା ରହିଛି। ପ୍ରଧାନ ବିଚାରପତିଙ୍କ ‘ମାଷ୍ଟର ଅଫ୍‌ ରୋଷ୍ଟର’କୁ ନେଇ ନିକଟରେ ମୁଣ୍ଡ ଟେକିଥିବା ବିବାଦ ସମ୍ପର୍କରେ ମତବ୍ୟକ୍ତ କରି ସେ କହିଛନ୍ତି ଯେ, ମାମଲାର ଆବଣ୍ଟନ ଓ ଖଣ୍ଡପୀଠ ଗଠନର କ୍ଷମତା ପ୍ରଧାନ ବିଚାରପତିଙ୍କର ରହିଛି। ତେଣୁ ସେ ସମ୍ପର୍କରେ ତାଙ୍କ କାର୍ଯ୍ୟରେ ବାଧା ଦେବା ଉଚିତ୍‌ ନୁହେଁ। ଜୁନ୍‌ ୨୨ ତାରିଖରେ ଅବସର ଗ୍ରହଣ କରିବା ପରେ ସେ କୌଣସି ସରକାରୀ ପଦବୀ ଆଉ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଉଲ୍ଳେଖଯୋଗ୍ୟ, ଗତ ଜାନୁଆରି ୧୨ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର ଖଣ୍ଡପୀଠ ଗଠନରେ ପାତର ଅନ୍ତର କରୁଥିବା ଅଭିଯୋଗ ଆଣି ଜଷ୍ଟିସ୍‌ ଚେଲାମେଶ୍ୱର ଚର୍ଚ୍ଚାକୁ ଆସିଥିଲେ।