ସାଇକେଲ ଗାର୍ଲ ଜ୍ୟୋତିଙ୍କ ପିତାଙ୍କ ପାଖକୁ ଆସିଲା ଲିଗାଲ୍‌ ନୋଟିସ୍‌

ଦରଭଙ୍ଗା: ବିହାରର ସାଇକେଲ ଗାର୍ଲ ଜ୍ୟୋତିଙ୍କ ଉପରେ ସିନେମା ନିର୍ମିତ ହେବା ନେଇ ଅନେକ କିଛି ପ୍ରସ୍ତୁତି ସରିଛି। କିନ୍ତୁ ଏହି ସମୟରେ ଜ୍ୟୋତି କୁମାରୀଙ୍କ ପିତା ବିବାଦରେ ଫସି ଯାଇଛନ୍ତି। ଗତ ଗୁରୁବାର ଜ୍ୟୋତି କୁମାରୀଙ୍କ ପିତା ମୋହନ ପାଶଓ୍ଵାନ୍‌ଙ୍କ ପାଖକୁ ମୁମ୍ବାଇର ଏକ ୱେବ୍‌ ସିରିଜ ଓ ଡକ୍ୟୁମେଣ୍ଟ ସିନେମା ନିର୍ମାଣ କମ୍ପାନି ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି। କମ୍ପାନି ଜ୍ୟୋତିଙ୍କ ପିତା ଉପରେ ନିୟମ ଉଲଘଂନ କରିଥିବା ଅଭିଯୋଗ କରିଛି।

ଗତ ମଇ ୨୭ ତାରିଖରେ ଦରଭଙ୍ଗାର ସାଇକେଲ ଗାର୍ଲ ଜ୍ୟୋତିଙ୍କ ପିତା ମୋହନ ପାଶୱାନ ଭାଗିରଥି ଫିଲ୍ମ କମ୍ପାନି ସହ ଜ୍ୟୋତିଙ୍କ ସଂଘର୍ଷକୁ ନେଇ ସିନେମା ନିର୍ମାଣ କରିବାକୁ ନେଇ ୨ ଲକ୍ଷ ୫୧ ହଜାର ଟଙ୍କାର ଏକ କଣ୍ଟ୍ରାକ୍ଟରେ ଦସ୍ତଖତ କରିଥିଲେ। ଏହାର ପ୍ରଥମ କିସ୍ତି ହିସାବରେ ଜ୍ୟୋତିଙ୍କ ପିତାଙ୍କ ଖାତାକୁ ୫୧ ହଜାର ଟଙ୍କା କମ୍ପାନି ପଠାଇ ଦେଇଥିଲା। ଏଥିସହ ପ୍ରାଥମିକ ଡକ୍ୟୁମେଣ୍ଟରେ ଦସ୍ତଖତ କରି ଫିଲ୍ମ ତିଆରି ପାଇଁ ମୋହନ ପାଶୱାନ ଫିଲ୍ମ ନିର୍ମାତା ବିନୋଦ କାପଡ଼ିଙ୍କୁ ଅଧିକାର ଦେଇଥିଲେ ।

ସମ୍ପ୍ରତି ମିଳିଥିବା ଖବର ଅନୁଯାୟୀ, ଭାଗିରଥି ଫିଲ୍ମ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ମୋହନ ପାଶୱାନ ସାଇନ କୃଷ୍ଣ ସହିତ ମଧ୍ୟ ଫିଲ୍ମ ସାଇନ କରିଛନ୍ତି । ଯାହା ବେଆଇନ ଅଟେ। କମ୍ପାନି କହିଛି ଯେ ସାଇନ କୃଷ୍ଣଙ୍କ ସହିତ ଯେଉଁ ବେଆଇନ କଣ୍ଟ୍ରାକ୍ଟ ସାଇନ କରାଯାଇଛି ତାକୁ ରଦ୍ଦ କରାଯାଉ । କମ୍ପାନି ସେଥିପାଇଁ ଜ୍ୟୋତିଙ୍କ ପିତାଙ୍କୁ ଲିଗାଲ ନୋଟିସ ପଠାଇଛି । କମ୍ପାନି କୌଣସି ବିବାଦ ଚାହୁଁନି ବୋଲି ବିନୋଦ କାପଡ଼ି କହିଛନ୍ତି ।

ଏହି ଘଟଣାକୁ ନେଇ ଜ୍ୟୋତି କୁମାରୀଙ୍କ ପିତା ମୋହନ ପାଶୱାନ କହିଛନ୍ତି ଯେ ତାଙ୍କୁ ଗୁରୁବାର ଦିନ ଏହି ନୋଟିସ ମିଳିଛି। କମ୍ପାନି ଆମ୍ଭମାନଙ୍କୁ ଦଳିତ ଭାବି ମାନସିକ ନିର୍ଯାତନା ଦେଉଛି। ଏକ ପ୍ରକାର ଭୟଭୀତ କରିବାକୁ ଚେଷ୍ଟା କରୁଛି। କିନ୍ତୁ ମୁଁ ଭୟ କରେ ନାହିଁ । କମ୍ପାନିର ପ୍ରତ୍ୟେକ ପ୍ରଶ୍ନର ଉତ୍ତର କୋର୍ଟକୁ ଦିଆଯିବ।

ମୋହନ କହିଛନ୍ତି ଯେ ଯେତେବେଳେ ଚୁକ୍ତିନାମା ହୋଇଥିଲା ମୋତେ ସନ୍ଦେହରେ ପକାଇ କାଗଜରେ ଦସ୍ତଖତ କରାଯାଇଥିଲା। ଏଥିସହ ଟଙ୍କା ଦେବା ପାଇଁ କମ୍ପାନି ସ୍ଥିର କରିଥିବା ସମୟ ଏଯାଏଁ ପୂରଣ ହୋଇନାହିଁ। ଏହି ଘଟଣାର ଆଇନଗତ ଭାବେ ଉତ୍ତର ଦେବି।

ସମ୍ବନ୍ଧିତ ଖବର