ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଜ୍ୟୋତି ମାଲହୋତ୍ରାଙ୍କ ଜାମିନ ଆବେଦନ ଆଜି ହିସାର୍‌ କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ସୁନୀଲ କୁମାର ଆଜି   ଜାମିନ ଆବେଦନର ଶୁଣାଣି କରିଥିଲେ। ଜ୍ୟୋତି ମାଲହୋତ୍ରାଙ୍କ ପକ୍ଷରୁ ଆଇନଜୀବୀ କୁମାର ମୁକେଶ ପକ୍ଷ ରଖିଥିଲେ।  ତେବେ ଜ୍ୟୋତିଙ୍କ ଆବେଦନକୁ ବିରୋଧ କରି ପୁଲିସ କୋର୍ଟଙ୍କୁ ଅବଗତ କରିଥିଲା ଯେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ଏହା ପ୍ରଭାବିତ ହୋଇପାରେ। ଉଭୟ ପକ୍ଷଙ୍କୁ ଶୁଣିବାପରେ କୋର୍ଟ ଜ୍ୟୋତିଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଉଲ୍ଳେଖଯୋଗ୍ୟ,  ପୂର୍ବରୁ ଜୁନ୍‌ ୯ ତାରିଖରେ କୋର୍ଟ ଜ୍ୟୋତି ମାଲହୋତ୍ରାଙ୍କ ନ୍ୟାୟିକ ହାଜତ ମିଆଦ ବୃଦ୍ଧି କରିଥିଲେ ଏବଂ ଜୁନ୍‌ ୨୩ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ରଖିଥିଲେ।  ‘ଟ୍ରାଭେଲ୍‌ ୱିଥ୍‌‌ ଜୋ’ ଚ୍ୟାନେଲ ଚଳାଉଥିବା  ୟୁଟ୍ୟୁବର ଜ୍ୟୋତି ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ।