ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତକାଲି ଭୋପାଳରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି । ଶୁକ୍ରବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜ୍ୟୋତିରାଦିତ୍ୟ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଜ୍ୟୋତିରାଦିତ୍ୟଙ୍କ ସହ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ସୁମେର ସିଂହ ସୋଲାଙ୍କୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ସୂଚନାଯୋଗ୍ୟ, କଂଗ୍ରେସ ସହ ଦୀର୍ଘ ୧୮ ବର୍ଷର ପୁରୁଣା ସଂପର୍କକୁ ଛିନ୍ନ କରି ବିଜେପିରେ ଆନୁଷ୍ଠାନକ ଭାବେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ନିଜର ରାଜ୍ୟସଭା ପ୍ରାର୍ଥୀଭାବେ ଘୋଷଣା କରିଥିଲା। ମଧ୍ୟପ୍ରଦେଶର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ, ଆସନ୍ତା ୨୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟପ୍ରଦେଶର ୩ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳର ବିଧାୟକମାନଙ୍କର ସଂଖ୍ୟା ଯାହା ରହିଛି ସେଥିରେ ଉଭୟ ବିଜେପି ଓ କଂଗ୍ରେସ ପ୍ରଥମ ପସନ୍ଦ ଭୋଟ ଜରିଆରେ ନିଜର ଜଣେଜଣେ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ କରାଇ ପାରିବା ବେଳେ ତୃତୀୟ ଆସନ ପାଇଁ ନିର୍ବାଚନ ହେବ।

Image result for jyotiraditya scindia files nomination
image source-moneycontrol

ସୂଚନାଯୋଗ୍ୟ, ୪୯ ବର୍ଷ ବୟସ୍କ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଭୋପାଳ ପହଞ୍ଚିବା ପରେ ତାଙ୍କୁ ସେଠାରେ ଜୋରଦାର ସ୍ୱାଗତ କରାଯାଇଥିଲା। ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ତାଙ୍କ ପାଇଁ ଏକ ରାତ୍ର ଭୋଜନର ଆୟୋଜନ ମଧ୍ୟ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ପୂର୍ବରୁ ୨୦୦୧ ମସିହାଠାରୁ ମଧ୍ୟପ୍ରଦେଶର ଗୋନା ସଂସଦୀୟ କ୍ଷେତ୍ରରୁ ୪ ଥର ସାଂସଦ ରହି ସାରିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସକୁ ଶାସନ କ୍ଷମତାକୁ ଆଣିବାରେ ଜ୍ୟୋତିରାଦିତ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ସମ୍ବନ୍ଧିତ ଖବର