‘ହାତ’ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ‘ପଦ୍ମ’ ଧରିଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କଂଗ୍ରେସର ପୂର୍ବତନ ଛାମୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସିନ୍ଧିଆଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ନଡ୍ଡା ଦଳରେ ସାମିଲ କରିଥିଲେ। ଏଥିସହ ସଭାପତି ଜେ.ପି.ନଡ୍ଡା କହିଥିଲେ ଯେ ସିନ୍ଧିଆ ବିଜେପିରେ ସାମିଲ ହୋଇଥିବାରୁ ସେ ବହୁତ ଖୁସୀ।

ଜ୍ୟୋତିରାଦିତ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସ୍ବାଗତ କରିଥିଲେ। ଏହି ବହୁଚର୍ଚ୍ଚିତ ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଗତକାଲି ଜ୍ୟୋତିରାଦିତ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ପତ୍ର ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ଦଳ ସହିତ ଦୀର୍ଘ ୧୮ ବର୍ଷ ରହି ଆସିଥିବା ଜ୍ୟୋତିରାଦିତ୍ୟ ଏକଦା ରାହୁଲ ଗାନ୍ଧିଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। ସେ ସୋନିଆଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ-‘ଆଗକୁ ବଢ଼ିବାର ସମୟ ଆସିଛି’ ବୋଲି ଉଲ୍ଳେଖ କରିଥିଲେ।

ଗତକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଆଶା କରାଯାଉଥିଲା କି ସେ ଗତକାଲି ବିଜେପିରେ ଯୋଗ ଦେଇ ପାରନ୍ତି। ମାତ୍ର ସେ ବୁଧବାର ବିଜେପିରେ ଯୋଗଦେବା ସ୍ପଷ୍ଟ ହୋଇଥିଲା। ଇତିମଧ୍ୟରେ ସିନ୍ଧିଆଙ୍କୁ ସମର୍ଥନ କରୁଥିବା ମଧ୍ୟପ୍ରଦେଶର ୨୨ଜଣ ବିଧାୟକ ବାଚସ୍ପତିଙ୍କୁ ତାଙ୍କର ଦଳରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର