କଂଗ୍ରେସ ଛାଡ଼ି ବିଜେପିରେ ସିନ୍ଧିଆ

୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା
ସଙ୍କଟରେ କମଲନାଥ ସରକାର
୪ ସହରରେ ଅଛନ୍ତି ରାଜ୍ୟର ବିଧାୟକ

ଭୋପାଳ/ନୂଆଦିଲ୍ଲୀ : ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ହାତ ଛାଡ଼ି ବିଜେପିର ଯୋଗ ଦେବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ସିନ୍ଧିଆଙ୍କ ଅନୁଗତ କୁହାଯାଉଥିବା ୬ ଜଣ ମନ୍ତ୍ରୀଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ମଧ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟରେ‌ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ବାଧୀନ ୧୫ ମାସ ପୁରୁଣା କଂଗ୍ରେସ ସରକାର ସଙ୍କଟ ଭିତରକୁ ଠେଲି ହୋଇଯାଇଛି। ଯେକୌଣସି ମୁହୂର୍ତରେ ଏହି ସରକାରର ପତନ ଘଟିପାରେ ବୋଲି କୁହାଯାଉଛି। ତେବେ ସଙ୍କଟରୁ ରକ୍ଷା ପାଇବା ଲାଗି କମଲନାଥ ଏବଂ ତାଙ୍କ ଟିମ୍ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

ବିଜେପି ଶାସିତ କର୍ଣ୍ଣାଟକର ‌ବେଙ୍ଗାଲୁରୁର କୌଣସି ଏକ ଅଜ୍ଞାତ ସ୍ଥାନରେ ରହିଥିବା ସିନ୍ଧିଆ ଗୋଷ୍ଠୀର ଏହି ୨୨ ଜଣ ବିଧାୟକଙ୍କୁ ମନାଇବା ଲାଗି ଚେଷ୍ଟା ଚାଲିଛି। ସେମାନଙ୍କ ମଧ୍ୟରୁ ୧୩ ଜଣ ବିଧାୟକ ବିଜେପିରେ ଯୋଗ‌ ଦେବାକୁ ରାଜି ହେଉନଥିବା କୁହାଯାଉଛି। ଏହାସହିତ ନିଜର ଅନ୍ୟ ବିଧାୟକମାନଙ୍କୁ ଘୋଡ଼ା ବେପାରରୁ ରକ୍ଷା ପାଇବା ଲାଗି ପ୍ରାୟ ୮୦ ଜଣ ବିଧାୟକ ଏବେ ଜୟପୁର ପଠାଇ ଦିଆଯାଇଛି।

କଂଗ୍ରେସର କେତେକ ବିଧାୟକ ଏବେ ଭୋପାଳରେ ମଧ୍ୟ ରହିଥିବା ଜଣାପଡ଼ିଛି। କଂଗ୍ରେସର ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ଛାଡ଼ିନାହାନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଦାବି କରିଛନ୍ତି ଯେ ବିଜେପିକୁ ମଧ୍ୟପ୍ରଦେଶରେ ବି ବଡ଼ ଝଟ୍‌କା ମିଳିବ ଏବଂ କମଳନାଥ ସରକାର ଯଥାରୀତି ତିଷ୍ଠି ରହିବ। ୨୨ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୩ ଜଣ ବିଧାୟକ ଦଳ ଛାଡ଼ିବେ ନାହିଁ ବୋଲି ସଙ୍କେତ ମିଳିଥିବା ସିଂହ କହିଛନ୍ତି। ଏଭଳି ସ୍ଥିତିରେ ଗୃହରେ ଶକ୍ତି ପରୀକ୍ଷାରେ ଆମେ ବିଜୟୀ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସର ଏଭଳି ସଙ୍କଟ ବିଜେପିକୁ ରାଜ୍ୟରେ ସରକାର ଗଠନ ପାଇଁ ସୁଯୋଗ ଆଣିଦେଇଛି। ବିଜେପି ମଧ୍ୟ ନିଜ ବିଧାୟକମାନଙ୍କୁ ଏକଜୁଟ ରଖିବା ‌ପାଇଁ ପଦକ୍ଷେପ ଗ୍ରହଣ କରିଛି। ବିଜେପି ତା’ର ୧୦୫ ବିଧାୟକଙ୍କୁ ଗୁରୁଗ୍ରାମରେ ରଖିଥିବା ଜଣାପଡ଼ିଛି।

୨୩୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଏବେ ୨୨୮ ବିଧାୟକ ଥିବା ବେଳେ ବିଜେପିର ବିଧାୟକ ସଂଖ୍ୟା ହେଉଛି ୧୦୭ । ସେମାନଙ୍କ ମଧ୍ୟରୁ ୧୦୫ ଜଣ ବିଧାୟକଙ୍କୁ ଗୁରୁଗ୍ରାମର ଆଇଟିସି ଗ୍ରାଣ୍ଡ୍‌ ହୋଟେଲରେ ରଖାଯାଇଛି। କଂଗ୍ରେସର ୯୪ ବିଧାୟକଙ୍କ ମଧ୍ୟରୁ ୮୦ ଜଣଙ୍କୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ବାସଭବନରେ ଏକ ବୈଠକ କରିଥିଲେ ଏବଂ ସେଠାରୁ ବିଧାୟକମାନଙ୍କୁ ସିଧାସଳଖ ଏୟାରପୋର୍ଟ ନିଆଯାଇଥିଲା। ସେଠା‌ରୁ ସେମାନେ ଜୟପୁର ଯାଇଥିଲେ। ତେବେ କଂଗ୍ରେସର ସବୁଠାରୁ ଭରସାଯୋଗ୍ୟ ୧୪ ଜଣ ବିଧାୟକ ଭୋପାଳରେ ହିଁ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ପୁଅ ତଥା ସାଂସଦ ବି. ରାଘବେନ୍ଦ୍ରଙ୍କ ତତ୍ତ୍ବାବଧାନରେ ବେଙ୍ଗାଲୁରୁଠାରୁ ୪୦ କିମି ଦୂରରେ ରଖାଯାଇଛି।

ମଧ୍ୟପ୍ରଦେଶରେ ନୂଆ ରାଜନୈତିକ ସଙ୍କଟ ସହ ସଂଖ୍ୟା ଖେଳ ଆରମ୍ଭ ହୋଇଯାଇଛି। ଯଦି କଂଗ୍ରେସର ୨୨ ବିଧାୟକଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିନିଅନ୍ତି ତେବେ ମଧ୍ୟପ୍ରଦେଶରେ ଅସଲ ଖେଳ ଆରମ୍ଭ ହେବ। ୨୩୦ ଆସନ ବିଶିଷ୍ଠ ମଧ୍ୟପ୍ରଦେଶ ବିଧାନସଭାରେ ୧୧୪ କଂଗ୍ରେସ ବିଧାୟକ ଥିବାବେଳେ ବିଜେପିର ୧୦୭, ବିଏସ୍‌ପିର ୨, ସମାଜବାଦୀ ପାର୍ଟିର ୧ ଏବଂ ୪ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ରାଜ୍ୟରେ କଂଗ୍ରେସ ବିଏସପି ଏବଂ ସମାଜବାଦୀ ପାର୍ଟି ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି। ମଧ୍ୟପ୍ର‌ଦେଶ ବିଧାନସଭାରେ ଆସନ ସଂଖ୍ୟା ୨୩୦ ଥିଲେ ମଧ୍ୟ ବର୍ତ୍ତମାନ ୨୨୮ ଜଣ ସଦସ୍ୟ ଅଛନ୍ତି। ୨ଜଣ ବିଧାୟକଙ୍କ ମୃତ୍ୟୁ ହୋଇଥିବାରୁ ଉକ୍ତ ୨ଟି ଆସନ ଫାଙ୍କା ପଡ଼ିଛି। ‌ଯଦି ୨୨ ଜଣଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିନେବେ ତେବେ ବିଧାନସଭା ଆସନ ସଂଖ୍ୟା ୨୦୬କୁ ଖସି ଆସିବ। ଏଥି ସହ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ବି କମିଯିବ। କଂଗ୍ରେସର ବିଧାୟକ ସଂଖ୍ୟା ପ୍ରାୟ ୯୨କୁ ଖସି ଆସିବ। ଅନ୍ୟପକ୍ଷେ ବିଜେପିର ଆସନ ସଂଖ୍ୟା ୧୦୭ ଥିବାବେଳେ ସରକାର ଗଠନ ପାଇଁ ବିଜେପି ପାଇଁ ବାଟ ଫିଟିଯିବ।

ସଂଖ୍ୟାର ଖେଳ
ବିଧାନସଭାର ମୋଟ ଆସନ (ଦୁଇ ବିଧାୟକଙ୍କ ପରଲୋକ ପରେ): ୨୨୮
ଇସ୍ତଫା ଦେଇଥିବା ବିଧାୟକ: ୨୨
ବାଚସ୍ପତି ଇସ୍ତଫା ମଂଜୁର କଲେ ବିଧାନସଭାରେ ଆସନ ସଂଖ୍ୟା: ୨୦୬
ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ: ୧୦୪
ବିଜେପିର ଆସନ ସଂଖ୍ୟା ୧୦୭
କଂଗ୍ରେସର ଆସନ ସଂଖ୍ୟା ୯୨
(ଇସ୍ତଫା ପୂର୍ବରୁ ୧୧୪)
ସ୍ବାଧୀନ ବିଧାୟକ: ୪
ବିଏସ୍‌ପି: ୨
ସମାଜବାଦୀ ପାର୍ଟି: ୧

ସମ୍ବନ୍ଧିତ ଖବର