ନୂଆଦିଲ୍ଲୀ: ଗିରଫ ହୋଇଥିବା ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରା ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତ ଦ୍ୱାରା କରାଯାଇଥିବା ବ୍ଲାକ୍ଆଉଟ୍ ସମେତ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ସେୟାର କରିଥିବା ଅଭିଯୋଗ ହୋଇଛି। ଜ୍ୟୋତିଙ୍କ ଗୁପ୍ତଚର ମାମଲାର ତଦନ୍ତ ସହ ଜଡ଼ିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ଜଣେ ଏଜେଣ୍ଟଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ ପ୍ରମାଣ ମିଳିଛି। ଏହି ଏଜେଣ୍ଟଙ୍କ ସହିତ ସେ ଭାରତର ଗୁପ୍ତ ତଥ୍ୟ ସେୟାର କରିଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଥିବାରୁ ଏ ବାବଦ ଖୋଳତାଡ଼ ବ୍ୟାପକ ହୋଇଛି।
‘ଅପରେସନ୍ ସିନ୍ଦୂର’ ସମୟରେ ଦାନିସଙ୍କ ସହ ଯୋଗାଯୋଗରେ ଥିଲେ
ଜ୍ୟୋତିଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ୍ର ବିବରଣୀ ମଧ୍ୟ ପୁଲିସ ସଂଗ୍ରହ କରିଛି ଏବଂ ସମ୍ଭାବ୍ୟ ବିଦେଶୀ ଲିଙ୍କ୍ ଠାବ କରିବା ପାଇଁ ଏଜେନ୍ସିଗୁଡ଼ିକ ବର୍ତ୍ତମାନ ସେହି ଆକାଉଣ୍ଟ୍ ମାଧ୍ୟମରେ ହୋଇଥିବା କାରବାରକୁ ଯାଞ୍ଚ କରିବା ପ୍ରକ୍ରିୟାରେ ଅଛନ୍ତି। ଫରେନସିକ୍ ଯାଞ୍ଚ ପାଇଁ ତାଙ୍କର ୩ଟି ମୋବାଇଲ୍ ଫୋନ୍ ଓ ଲାପ୍ଟପ୍ ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବର୍ ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି। ପଚରାଉଚରା ବେଳେ ସେ ପାକିସ୍ତାନ ହାଇକମିସନ୍ ଅଧିକାରୀ ଦାନିସଙ୍କ ସହ ନିୟମିତ ଯୋଗାଯୋଗରେ ଥିବା କହିଛନ୍ତି। ଜ୍ୟୋତି ପ୍ରଥମେ ୨୦୨୩ରେ ଦାନିସଙ୍କ ସଂସ୍ପର୍ଶରେ ଆସିଥିଲେ, ଯେତେବେଳେ ସେ ପାକିସ୍ତାନ ଯିବା ପାଇଁ ଭିସା ଲାଗି ହାଇକମିସନ୍ ଯାଇଥିଲେ। ଜ୍ୟୋତି ମାଲହୋତ୍ରା ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନ୍ରେ କାର୍ଯ୍ୟରତ ଜଣେ ପାକିସ୍ତାନୀ କର୍ମଚାରୀଙ୍କ ସଂସ୍ପର୍ଶରେ ଥିବା ପୁଲିସ ଜାଣିବା ପରେ ତାଙ୍କୁ ମେ ୧୭ରେ ଗିରଫ କରାଯାଇଥିଲା।