ନୂଆଦିଲ୍ଳୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଅଧିକ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ଦିଲ୍ଲୀ ସରକାରର ମନ୍ତ୍ରୀ, ଅଧିକାରୀ, ମଦ ବ୍ୟବସାୟୀ ଆଦିଙ୍କ ସହ ଅପରାଧିକ ଷଡ଼୍‌ଯନ୍ତ୍ରରେ ସାମିଲ ଅଛନ୍ତି ଏବଂ ୨୯୨ କୋଟି ୮୦ ଲକ୍ଷ ଟଙ୍କାର ମନି ଲଣ୍ଡରିଂ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଦାଖଲ କରିଥିବା ପିଟିସନ୍‌ରେ ଦର୍ଶାଇଛି। ଏହି ଆବେଦନରେ ଦର୍ଶାଯାଇଛି ଯେ କେ କବିତା ଇଣ୍ଡୋ ସ୍ପିରିଟ୍‌ସ ମଦ ପ୍ରସ୍ତୁତ କମ୍ପାନୀର ସହଭାଗୀ ଅଟନ୍ତି। ସେ ନିଜର ପ୍ରତିନିଧି ତଥା ଅରୁଣ ପିଲ୍ଲାଇଙ୍କ ଜରିଆରେ କୋଟି କୋଟି ଟଙ୍କାର କାରବାର କରିଛନ୍ତି। ନିଜର ସହଯୋଗୀ, କର୍ମଚାରୀ ଅଭିଷେକ ବୋଇନିପାଲ୍ଲୀ, ବୁଚି ବାବୁଙ୍କ ଜରିଆରେ ୧୦୦ କୋଟି ଟଙ୍କା ଦିଲ୍ଳୀ ସରକାରର ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଇଣ୍ଡୋ ସ୍ପିରିଟ୍‌ସ ପାର୍ଟନର ଅରୁଣ ପିଲାଇଙ୍କ ସମସ୍ତ ଅଂଶଧନର ପ୍ରକୃତ ମାଲିକ କବିତା ଅଟନ୍ତି। ସେ ଏହି ଦୁର୍ନୀତିକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଛନ୍ତି ଓ ଏହାର ଲାଭାର୍ଥକୁ ଗ୍ରହଣ କରିଛନ୍ତି। ଗିରଫ ଇଣ୍ଡୋ ସ୍ପିରିଟ୍‌ସର ଜଣେ କର୍ମଚାରୀ କହିଛନ୍ତି ‌‌ଯେ ସେ ବୋଇନାପଲ୍ଲୀଙ୍କ ନିର୍ଦ୍ଦେଶରେ ଟଙ୍କା ଭର୍ତ୍ତି ଦୁଇଟି ବ୍ୟାଗ ନୂଆଦିଲ୍ଲୀ ନାରାୟଣା ତୋଡ଼ପୁର ଠିକଣାରେ ଥିବା ବିନୋଦ ଚୌହାନ୍‌ଙ୍କୁ ଦେଇଥିଲେ। ଏହି ଟଙ୍କା ବିନୋଦ ପରେ ନେଇ ଆମ୍‌ ଆଦମୀ ପାର୍ଟିର ନେତାଙ୍କୁ ଗୋଆ ନିର୍ବାଚନ ବେଳେ ହାୱଲା ମାଧ୍ୟମରେ ପ୍ରଦାନ କରିଥିଲେ। ଦିଲ୍ଳୀ ଆପ୍‌ ସରକାରର କେତେକ ପ୍ରମୁଖ ନେତାଙ୍କ ସମେତ ଅନ୍ୟ ନେତା ଓ ବରିଷ୍ଠ ଅଧିକାରୀଙ୍କୁ କବିତା, ସାରଥୀ ରେଡ୍ଡି, ରାଘବ ମାଗୁନ୍ତା ଓ ମାଗୁନ୍ତା ଶ୍ରୀନିବାସ ରେଡ୍ଡି ପ୍ରାୟ ୧୦୦ କୋଟି ଟଙ୍କା ପ୍ରଦାନ କରିଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ସତ୍ୟପାଠ ଜରିଆରେ ଆବେଦନ କରିଛି।