ହାଇଦ୍ରାବାଦ: ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଙ୍ଗଳବାର ଦିନ ବିଧାନ ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏବେ ନିଲମ୍ବିତ ବିଆରଏସ ନେତ୍ରୀ କବିତା, ଦଳ ଏବଂ ଏମଏଲସି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏଭଳି ହଠାତ୍ ବିଆରଏସ ତାଙ୍କୁ ନିଲମ୍ବନ କରିବା ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି କେ.କବିତା।
ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ବିଷୟରେ ଘୋଷଣା କରି କେ.କବିତା କହିଛନ୍ତି ଯେ,"ଏହା ବହୁତ ଯନ୍ତ୍ରଣାଦାୟକ ଯେ, ମୋତେ ହଠାତ୍ ବିଆରଏସ ଦଳରୁ ନିଲମ୍ବିତ କରାଯାଇଛି। ଏବେ ମୁଁ ଏମଏଲସି ପଦବୀ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ମୁଁ ମୋ ଇସ୍ତଫାପତ୍ର ବାଚସ୍ପତି ଏବଂ (ଦଳ ମୁଖ୍ୟ ଏବଂ ତାଙ୍କ ପିତା) କେ ଚନ୍ଦ୍ରଶେଖର ରାଓଙ୍କ ନିକଟକୁ ପଠାଇଛି। ମୁଁ କୌଣସି ଦଳ ସହିତ ହାତ ମିଳାଇବି ନାହିଁ। କିନ୍ତୁ ତେଲେଙ୍ଗାନା ଜାଗୃତି ସଦସ୍ୟଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ର ନିଷ୍ପତ୍ତି ନେବି। "
K. Kavitha resigns from the BRS party and her MLC post, a day after her suspension from the party. https://t.co/epqwvHn4nnpic.twitter.com/Bj5ExmJ66X
— ANI (@ANI) September 3, 2025
ସେ ଆହୁରି କହିଛନ୍ତି ଯେ, "ମୁଁ ଭବନ ଯାଇ ଭାଇ କେଟିଆରଙ୍କୁ ଭେଟିଥିଲି। ମୁଁ ତାଙ୍କୁ ମୋ ବିରୋଧରେ ହେଉଥିବା ଷଡ଼ଯନ୍ତ୍ର ଏବଂ ମିଥ୍ୟା ଅଭିଯାନ ବିଷୟରେ କହିଥିଲି। କିନ୍ତୁ ସେ କିଛି କରିବାକୁ ଚାହିଁଲେ ନାହିଁ। ସେ ମୋତେ ଫୋନ୍ ମଧ୍ୟ କଲେ ନାହିଁ।"
ଉଲ୍ଲେଖଯୋଗ୍ୟ, କବିତା ନିଲମ୍ବନର ଗୋଟିଏ ଦିନ ପୂର୍ବରୁ ବିଆରଏସ ଭିତରେ ଅଶାନ୍ତି ସୃଷ୍ଟି କରିଥିଲେ। ଦଳୀୟ ସହଯୋଗୀମାନେ କେସିଆରଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିବାର ଅଭିଯୋଗ ଆଣିଥିଲେ ସେ। କବିତା ଦଳର ବରିଷ୍ଠ ନେତା ତଥା ତାଙ୍କ ସମ୍ପର୍କୀୟ ଭାଇ ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀ ଦୁର୍ନୀତି ମାମଲାରେ ମୋ ବାପାଙ୍କୁ ଫସାଇବାକୁ ଚାହୁଁଛନ୍ତି।
ତେଲେଙ୍ଗାନାର କଂଗ୍ରେସ ନେତୃତ୍ୱାଧୀନ ସରକାର କାଳେଶ୍ୱରମ୍ ପ୍ରକଳ୍ପରେ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ହସ୍ତାନ୍ତର କରିବାର ଗୋଟିଏ ଦିନ ପରେ ଏଭଳି ଆରୋପ ଲଗାଇଥିଲେ କବିତା। ହରିଶ ରାଓଙ୍କ ନାମ ନେଇ ସେ ଅଭିଯୋଗ କରିଥିଲେ ଯେ, ୨୦୧୪ରେ ବିଆରଏସ କ୍ଷମତାରେ ଥିବା ସମୟରେ ଜଳସେଚନ ମନ୍ତ୍ରୀ ଥିଲେ ହରିଶ ରାଓ। ଏବେ ସେ ସମ୍ପତ୍ତି ନେବା ପାଇଁ କଂଗ୍ରେସର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ମିଶି କେସିଆରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି। ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ, ଦୁର୍ନୀତିର ଦାଗ କେସିଆରଙ୍କ ଉପରେ କାହିଁକି ଲାଗିଲା। କେସିଆରଙ୍କ ନିକଟତର କିଛି ଲୋକ ତାଙ୍କ ନାମ ବ୍ୟବହାର କରି ଅନେକ ଉପାୟରେ ଲାଭ ଉଠାଇଛନ୍ତି। କେସିଆରଙ୍କ ନାମ ଆଜି ସେମାନଙ୍କ ଭୁଲ କାର୍ଯ୍ୟ ଯୋଗୁଁ ବଦନାମ ହେଉଛି। ପାଞ୍ଚ ବର୍ଷ ଧରି ଜଳସେଚନ ମନ୍ତ୍ରୀ ଥିବା ହରିଶ ରାଓଙ୍କର ଏଥିରେ ପ୍ରମୁଖ ଭୂମିକା ରହିଛି।"
ସେ ପୂର୍ବତନ ରାଜ୍ୟସଭା ସାଂସଦ ଜେ ସନ୍ତୋଷ କୁମାରଙ୍କ ନାମ ମଧ୍ୟ ନେଇଥିଲେ। ସେ ଦାବି କରିଥିଲେ ଯେ, ରେବନ୍ତ ରେଡ୍ଡୀ; ହରିଶ ରାଓ ଏବଂ ସନ୍ତୋଷ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ସୂଚାଇ ଦେଉଛି ଯେ, ସେମାନେ କେସିଆରଙ୍କୁ ଫସାଇବାକୁ ହାତ ମିଶାଇଛନ୍ତି।