ନୂଆଦିଲ୍ଲୀ: ଦଳ ବିରୋଧୀ ବୟାନ ପାଇଁ କେ ଚନ୍ଦ୍ରଶେଖର ରାଓ (କେସିଆରଇ) ନିଜ ଝିଅ କେ କବିତାଙ୍କୁ ନିଲମ୍ବନ କରିଛନ୍ତି। ଭାରତ ରାଷ୍ଟ୍ର ସମିତି (ବିଆରଏସ) କେ. କବିତାଙ୍କୁ ଆଜି ଦଳରୁ ନିଲମ୍ବନ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କବିତାଙ୍କ ପିତା ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଲମ୍ବନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ବିଆରଏସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରିଛି। ଦଳ କହିଛି ଯେ, କବିତାଙ୍କ କାର୍ଯ୍ୟକଳାପ ଦଳ ବିରୋଧୀ ରହିଆସିଛି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।
କବିତାଙ୍କ ନିଲମ୍ବନ ସମ୍ପର୍କରେ ବିଆରଏସ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛି। ଦଳ ଏକ ପୋଷ୍ଟ କରି ଜଣାଇଛି ଯେ, ଦଳର ଏମଏଲସି କେ. କବିତାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ ଏବଂ ଦଳ ବିରୋଧୀ କାର୍ଯ୍ୟ ବିଆରଏସକୁ କ୍ଷତି ପହଞ୍ଚାଉଛି। ଦଳୀୟ ନେତୃତ୍ୱ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଦଳର ସଭାପତି କେ. ଚନ୍ଦ୍ରଶେଖର ରାଓ ତୁରନ୍ତ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ମୁତାବକ, କବିତା ନିଲମ୍ବନର ଗୋଟିଏ ଦିନ ପୂର୍ବରୁ ବିଆରଏସ ଭିତରେ ଅଶାନ୍ତି ସୃଷ୍ଟି କରିଥିଲେ। ଦଳୀୟ ସହଯୋଗୀମାନେ କେସିଆରଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିବାର ଅଭିଯୋଗ ଆଣିଥିଲେ ସେ। କବିତା ଦଳର ବରିଷ୍ଠ ନେତା ତଥା ତାଙ୍କ ସମ୍ପର୍କୀୟ ଭାଇ ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ଯେ, ଟି. ହରିସ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀ ଦୁର୍ନୀତି ମାମଲାରେ ମୋ ବାପାଙ୍କୁ ଫସାଇବାକୁ ଚାହୁଁଛନ୍ତି।
ତେଲେଙ୍ଗାନାର କଂଗ୍ରେସ ନେତୃତ୍ୱାଧୀନ ସରକାର କାଳେଶ୍ୱରମ୍ ପ୍ରକଳ୍ପରେ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ହସ୍ତାନ୍ତର କରିବାର ଗୋଟିଏ ଦିନ ପରେ ଏଭଳି ଆରୋପ ଲଗାଇଥିଲେ କବିତା। ହରିଶ ରାଓଙ୍କ ନାମ ନେଇ ସେ ଅଭିଯୋଗ କରିଥିଲେ ଯେ, ୨୦୧୪ରେ ବିଆରଏସ କ୍ଷମତାରେ ଥିବା ସମୟରେ ଜଳସେଚନ ମନ୍ତ୍ରୀ ଥିଲେ ହରିଶ ରାଓ। ଏବେ ସେ ସମ୍ପତ୍ତି ନେବା ପାଇଁ କଂଗ୍ରେସର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ମିଶି କେସିଆରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି। ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ, ଦୁର୍ନୀତିର ଦାଗ କେସିଆରଙ୍କ ଉପରେ କାହିଁକି ଲାଗିଲା। କେସିଆରଙ୍କ ନିକଟତର କିଛି ଲୋକ ତାଙ୍କ ନାମ ବ୍ୟବହାର କରି ଅନେକ ଉପାୟରେ ଲାଭ ଉଠାଇଛନ୍ତି। କେସିଆରଙ୍କ ନାମ ଆଜି ସେମାନଙ୍କ ଭୁଲ କାର୍ଯ୍ୟ ଯୋଗୁଁ ବଦନାମ ହେଉଛି। ପାଞ୍ଚ ବର୍ଷ ଧରି ଜଳସେଚନ ମନ୍ତ୍ରୀ ଥିବା ହରିଶ ରାଓଙ୍କର ଏଥିରେ ପ୍ରମୁଖ ଭୂମିକା ରହିଛି।"
ସେ ପୂର୍ବତନ ରାଜ୍ୟସଭା ସାଂସଦ ଜେ ସନ୍ତୋଷ କୁମାରଙ୍କ ନାମ ମଧ୍ୟ ନେଇଥିଲେ। ସେ ଦାବି କରିଥିଲେ ଯେ, ରେବନ୍ତ ରେଡ୍ଡୀ; ହରିଶ ରାଓ ଏବଂ ସନ୍ତୋଷ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ସୂଚାଇ ଦେଉଛି ଯେ, ସେମାନେ କେସିଆରଙ୍କୁ ଫସାଇବାକୁ ହାତ ମିଶାଇଛନ୍ତି।
ତାଙ୍କର ଏଭଳି ଆରୋପ ପରେ ଏବେ ଝିଅକୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି କେସିଆର।