ଗାଇଡେଡ୍ ମିସାଇଲ ଦ୍ବାରା ୟୁକ୍ରେନର ଅସ୍ତ୍ରାଗାର ଧ୍ବଂସ କଲା ରୁଷ୍ (ଭିଡିଓ ଦେଖନ୍ତୁ)

ମସ୍କୋ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆଜି ୨୮ତମ ଦିନରେ ପହଞ୍ଚିଛି । ୨୮ ତମ ଦିନରେ ରୁଷ ୟୁକ୍ରେନର ଗୋଳାବାରୁଦ ଡିପୋକୁ କ୍ଷେପଣାସ୍ତ୍ର ମାରି ଧ୍ବଂସ କରିଦେଇଛି । ଏ ସଂପର୍କିତ ଏକ ଭିଡିଓକୁ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ।

ରୁଷର ସରକାରୀ ଗଣମାଧ୍ୟମ ସ୍ପୁଟନିକର ଏକ ରିପୋର୍ଟ ଅନୁସାରେ ରୁଷ ବାୟୁସେନାର ଏକ କେଏ-୫୨ ହେଲିକପ୍ଟରରୁ ଭୋର୍ଟେକ୍ସ ମିସାଇଲ୍ ମାରି ୟୁକ୍ରେନର ଏକ ଗୋଳାବାରୁଦ ଡିପୋକୁ ଧ୍ବଂସ କରିଦିଆଯାଇଛି । ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଏଡେଇବାକୁ ଯାଇ ୭ କିଲୋମିଟର ଦୂରରୁ ଏହି ଗାଇଡେଡ୍ ମିସାଇଲ ନିକ୍ଷେପ କରାଯାଇଥିଲା । କ୍ଷେପଣାସ୍ତ୍ରଟି ଯୋଜନାବଦ୍ଧ ଭାବରେ ନିଜର ଲକ୍ଷ୍ୟଭେଦ  କରିଥିଲା । ତେବେ ଏହି ଆକ୍ରମଣ କେଉଁ ତାରିଖରେ ହୋଇଥିଲା ଓ ଏହା ଦ୍ବାରା କେତେ ଲୋକ ମୃତ୍ୟୁବରଣ କରିଛନ୍ତି ସେ ସମ୍ପର୍କରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ  କିଛି କୁହାଯାଇନାହିଁ ।

ଅନ୍ୟପକ୍ଷରେ ୟୁକ୍ରେନର ବନ୍ଦର ନଗରୀ ମାରିପୋଲ ଉପରେ ରୁଷର ପ୍ରବଳ ବୋମାମାଡ ଜାରି ରହିଛି । ଅବିରତ ବୋମା ମାଡରେ ଏହି ନଗରୀ ଏକ ମୃତ ନଗରୀରେ ପରିଣତ ହୋଇଛି ବୋଲି ମାରିପୋଲର ଜଣେ କାଉନସିଲର କହିଛନ୍ତି । ତେବେ ରୁଷ ଆଗରେ ଆତ୍ମସମର୍ପଣ କରିବାକୁ ଏହି ନଗରୀ ମନା କରିଦେଇଛି । ତେବେ ଏହି ନଗରୀରେ ଫସି ରହିଥିବା ୧ ଲକ୍ଷ ଲୋକଙ୍କୁ ଉଦ୍ଧାର କରିବାକୁ ଅନୁମତି ଦେବାକୁ ୟୁକ୍ରେନ ମସ୍କୋକୁ ଅନୁରୋଧ କରିଛି ।

ସମ୍ବନ୍ଧିତ ଖବର