ମ୍ୟାଚ୍‌ ବେଳେ ଆହତ କବାଡ଼ି ଖେଳାଳିଙ୍କ ମୃତ୍ୟୁ

ଛତିଶଗଡ଼ିଆ ଅଲିମ୍ପିକ୍ସରେ ମାସକ ମଧ୍ୟରେ ତୃତୀୟ

ରାଞ୍ଚି : ଛତିଶଗଡ଼ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥାନୀୟ କ୍ରୀଡ଼ାକୁ ପ୍ରସାରିତ କରିବା ଲକ୍ଷ୍ୟ‌ରେ ଆୟୋଜିତ ଛତିଶଗଡ଼ିଆ ଅଲିମ୍ପିକ୍ସରେ ମାସକ ମଧ୍ୟରେ ୩ ଜଣ ଖେଳାଳି ମ୍ୟାଚ୍‌ ବେଳେ ଆହତ ହୋଇ ମୃତ୍ୟୁ ବରଣ କରିଲେଣି। ଏହି ଅଲିମ୍ପିକ୍ସର ଅଂଶବିଶେଷ ଏକ କବାଡ଼ି ମ୍ୟାଚ୍‌ ବେଳେ ଆହତ ହୋଇଥିବା ଜଣେ ୨୮ ବର୍ଷ ବୟସ୍କ ଖେଳାଳିଙ୍କର ପରେ ମୃତ୍ୟୁ ଘଟିଛି। ଗତମାସ (ଅକ୍ଟୋବର ୧୭ ତାରିଖ)ରେ ଜାସ୍‌ପୁର ଜିଲ୍ଲା ଅନ୍ତର୍ଗତ ସନ୍ଧ୍ରୁ ଗ୍ରାମରେ ଅନୁଷ୍ଠିତ ମ୍ୟାଚ୍‌ ବେଳେ ଘୁମ୍ରା ଗ୍ରାମର ସାମୁରା କେର୍‌କେଟା ଗୁରୁତର ଆହତ ହୋଇଥିଲେ। ସ୍ପାଇନାଲ କଡ୍‌ରେ ସେ ଆଘାତ ପାଇଥିଲେ। ତାଙ୍କୁ ନିକଟସ୍ଥ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ପଡ଼ୋଶୀ ରାଇଗଡ଼ ଜିଲ୍ଲା ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାୟ ୧ ମାସ ଧରି ଭେଣ୍ଟିଲେଟର୍‌ ସପୋର୍ଟରେ ରହିଥିଲେ। ତେବେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଶେଷରେ ଚିକିତ୍ସିତ ହେଉଥିଲା ବେଳେ ଗତକାଲି (ବୁଧବାର) ତାଙ୍କର ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନ ତାଙ୍କ ପରିବାରବର୍ଗକୁ ସମସ୍ତ ସହାୟତା ଯୋଗାଇଦେବ ବୋଲି ଜାସ୍‌ପୁର ଜିଲ୍ଲାପାଳ ରବି ମିତ୍ତଲ କହିଛନ୍ତି।

କବାଡ଼ି ମ୍ୟାଚ୍‌ ବେଳେ ମୃତ୍ୟୁ ବରଣ କରିବା ଛତିଶଗଡ଼ରେ ଏହା ପ୍ରଥମ ଘଟଣା ନୁହେଁ। ଗତ ମାସକ ମଧ୍ୟରେ ଏହା ତୃତୀୟ ଘଟଣା ହୋଇଛି। ଏହା ପୂର୍ବରୁ କୋଣ୍ଡାଗାଓଁ ଜିଲ୍ଲାରେ ଏକ କବାଡ଼ି ମ୍ୟାଚ୍‌ ବେଳେ ଜଣେ ମହିଳା ଖେଳାଳିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ମ୍ୟାଚ୍‌ ବେଳେ ଗୁରୁତର ଆହତ ହୋଇଥିବା ମହିଳା ଖେଳାଳି ଜଣକ ଅକ୍ଟୋବର ୧୫ ତାରିଖରେ ରାଇପୁରର ଏକ ହସ୍ପିଟାଲରେ ପରଲୋକ ଗମନ କରିଥିଲେ। ସେହିପରି ରାଇଗଡ଼ ଜିଲ୍ଲାରେ ଏକ ମ୍ୟାଚ୍‌ ବେଳେ ଅନ୍ୟ ଜଣେ ୩୨ ବର୍ଷ ବୟସ୍କ ପୁରୁଷ ଖେଳାଳି ଗୁରୁତର ଆହତ ହୋଇ ଅକ୍ଟୋବର ୧୧ ତାରିଖରେ ମୃତ୍ୟୁ ବରଣ କରିଥିଲେ। ଛତିଶଗଡ଼ିଆ ଅଲିମ୍ପିକ୍ସ ଅକ୍ଟୋବର ୬ରୁ ଆରମ୍ଭ ହୋଇଥିଲା ବେଳେ ଆସନ୍ତାବର୍ଷ ଜାନୁଆରି ୬ ତାରିଖରେ ଶେଷ ହେବ। ଏଥିରେ ଅଂଶଗ୍ରହଣ ପାଇଁ କୌଣସି ବୟସ ସୀମା ରଖାଯାଇନି। ରାଜ୍ୟର ପାରମ୍ପରିକ କ୍ରୀଡ଼ା ପିତୁଲ, ଖୋ ଖୋ ଓ କବାଡ଼ି ବ୍ୟତୀତ କ୍ରିକେଟ୍‌, ଭଲିବଲ୍‌ ଓ ହକିରେ ପ୍ରତିଯୋଗିତା ହେଉଛି। ବିଶେଷକରି ୪ଟି ସ୍ତର (ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ)ରେ ପ୍ରତିଯୋଗିତା ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର