କାବେରୀ ଜଳ ବିବାଦ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି କାବେରୀ ଜଳ ବିବାଦ ସଂକ୍ରାନ୍ତ ଚିଠା ପ୍ରସ୍ତାବର ଚୂଡ଼ାନ୍ତ ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଯେ କାବେରୀ ଜଳ ବିବାଦ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଚୂଡ଼ାନ୍ତ କରିବା ସମୟରେ କୋର୍ଟ ସବୁ ପକ୍ଷଭୁକ୍ତ ତଥା କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀର ପ୍ରସ୍ତାବକୁ ବିଚାରକୁ ନେବେ। ଅନ୍ୟପକ୍ଷରେ ଚିଠା ପ୍ରସ୍ତାବ ଚୁଡ଼ାନ୍ତ ନେଇ କୋର୍ଟ ଆସନ୍ତାକାଲି କିମ୍ବା ମେ’ ୨୨ କିମ୍ବା ୨୩ ତାରିଖରେ ରାୟ ପ୍ରକାଶ କରିବେ ବୋଲି କହିଛନ୍ତି। ଗତକାଲି କର୍ଣ୍ଣାଟକ ସରକାର କାବେରୀ ଜଳ ବିବାଦ ସଂକ୍ରାନ୍ତ ଚିଠାପ୍ରସ୍ତାବ ଚୁଡ଼ାନ୍ତ ସ୍ଥଗିତ ରଖିବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତେବେ ଆଜି କର୍ଣ୍ଣାଟକ ସରକାର ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବନ ଚିଠା ପ୍ରସ୍ତାବ ଚୂଡ଼ାନ୍ତ ନେଇ କର୍ଣ୍ଣାଟକର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ପକ୍ଷରୁ କେକେ ବେଣୁଗୋପାଳ ଆଜି କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଚିଠା ପ୍ରସ୍ତାବରେ ଆବଶ୍ୟକୀୟ ପରିବର୍ତ୍ତନ କରିଛନ୍ତି। ୬ମାସ ମଧ୍ୟରେ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ କରିବା ପାଇଁ ସୁପ୍ରିମକୋର୍ଟ ଗତ ଫେବ୍ରୁଆରି ୧୬ ତାରିଖରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର