ତେଜୁଛି କାବେରୀ ବିବାଦ : ୩୫୦ ଆନ୍ଦୋଳନକାରୀ ଗିରଫ

ଆଇପିଏଲ ମ୍ୟାଚ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: କାବେରୀ ଉନ୍ନୟନ ବୋର୍ଡ ଗଠନରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ବିରୋଧ କରି ଆଜି ଚେନ୍ନାଇରେ ବିଭିନ୍ନ ତାମିଲ ସଂଗଠନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଛି। ଅପରପକ୍ଷେ ଚେନ୍ନାଇର ଏମ୍‌ଏ ଚିଦମ୍ବରମ ଷ୍ଟାଡିୟମ୍‌ରେ ଆଜି ହୋଇଥିବା ଆଇପିଏଲ ମ୍ୟଚ୍‌କୁ ତାମିଲ ସଂଗଠନ କରାଇଦେବେନି ବୋଲି ଚେତାବନୀ ଦେବା ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଷ୍ଟାଡିୟମ୍‌କୁ ସଂଯୋଗ କରୁଥିବା ଆନ୍ନା ସଲାଇ ରୋଡ୍‌ରେ ବିକ୍ଷୋଭ ବେଳେ ପୁଲିସ୍‌ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ଉପୁଜିଛି। ଆଇନ୍‌ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ଲାଠିଚାର୍ଜ କରିଥିବା ବେଳେ ୩୫୦ରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଷ୍ଟାଡିୟମ୍‌ରେ ଖେଳ ବେଳେ ଉପସ୍ଥିତ ଜଣେ ଆନ୍ଦୋଳନକାରୀ ଖେଳାଳୀଙ୍କ ଉପରକୁ ଜୋତାମାଡ଼ କରିଥିଲେ। ତେବେ ଜୋତା ଫିଙ୍ଗିଥିବା ଟିବିକେ ସଂଗଠନର ଜଣେ ସଦସ୍ୟକୁ ପୁଲିସ୍‌ ଗିରଫ କରିଛି।
ବିକ୍ଷୋଭକାରୀମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ୍‌ ଦେବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ସହରରେ ୪ହଜାର ର‍୍ୟାପିଡ ଆକ୍ସନ ଫୋର୍ସ, କମାଣ୍ଡୋ ଓ ପୁଲିସ୍‌ଙ୍କୁ ନିୟୋଜିତ କରାଯାଇଛି। ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ତେବେ ମ୍ୟାଚ୍‌ ସମୟରେ କୌଣସି ଅପ୍ରିତୀକର ପରିସ୍ଥିତି ଉପୁଜିବ ନାହିଁ ବୋଲି ସଚିବ ଗୌବା ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡ଼ିଛି। ସେପଟେକେନ୍ଦ୍ର ସରକାରଙ୍କ ଏହି ଅବହେଳାକୁ ବିରୋଧ କରି ଶାସକ ଏଆଇଏଡିଏମ୍‌କେ, ବିରୋଧୀ ଡିଏମ୍‌କେ ସମେତ ବିଭିନ୍ନ ରାଜନୈତିକ ଦଳ ରାଜ୍ୟବ୍ୟାପୀ ଆନ୍ଦେଳନ ଜାରି ରଖିଛନ୍ତି।

ଗତକାଲି ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି କାବେରୀ ଉନ୍ନୟନ ବୋର୍ଡ ଗଠନ ପାଇଁ ତାଗିଦ୍‌ କରିଥିଲେ। ମିଳିଥିବା ଖବର ମୁତାବକ, ଆଜି ତାମିଲନାଡ଼ୁର ତାମିଝାଗା ଭଜଭୁରିମାଇ କାଟଚୀ(ଟିବିକେ)ସଂଗଠନ ଷ୍ଟାଡିୟମ୍‌ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ତେବେ ସେମାନେ ଆଇପିଏଲ ମ୍ୟାଚ୍‌ ନୁହେଁ ବରଂ କାବେରୀ ଉନ୍ନୟନ ବୋର୍ଡ ଗଠନ ଦାବି କରି ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ କରୁଥିବା ତାମିଲନାଡୁ କୃଷକ ସଂଗଠନ ଓ ଟିବିକେର ସଦସ୍ୟ ମାନଙ୍କୁ ପୁଲିସ୍‌ ଅଟକ ରଖିଛି।

ସମ୍ବନ୍ଧିତ ଖବର