ମାସକ ଭିତରେ କାବେରୀ ଜଳ ବିବାଦ ରାୟ :୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧି ଧରି ଲାଗି ରହିଥିବା କାବେରୀ ଜଳ ବିବାଦର ସ୍ଥାୟୀ ସମାଧାନ ଆଶା ଉଜ୍ଜଳ ହୋଇଛି। ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ମଧ୍ୟରେ କାବେରୀ ଜଳ ବିବାଦ ଏକ ଅତି ଜଟିଳ ପ୍ରସଙ୍ଗ ହୋଇ ରହିଥିବା ବେଳେ ଏ ବାବଦ ରାୟ ୪ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ବୋଲି ଆଜି ସୁପ୍ରିମ କୋର୍ଟ ଘୋଷଣା କରିଛନ୍ତି। କୋର୍ଟ ଏ ବାବଦ ଚୂଡ଼ାନ୍ତ ରାୟ ଦେବା ପରେ ହିଁ ଯେ କୌଣସି ଫୋରମ୍‌ କାବେରୀ ଅବବାହିକାକୁ ନେଇ କାର୍ଯ୍ୟକ୍ରମ କଥା ଚିନ୍ତା କରିପାରିବେ ବୋଲି କୁହାଯାଇଛି। କାବେରୀ ଜଳ ବଣ୍ଟନ କ୍ଷେତ୍ରରେ କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ (ସିଡବ୍ଲ୍ୟୁଡିଟି) ଦେଇଥିବା ୨୦୦୭ ରାୟ ବିରୋଧରେ କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ କେରଳ ଦ୍ୱାରା ହୋଇଥିବା ଆବେଦନ ଉପରେ ଗତ ସେପ୍ଟେମ୍ବର ୨୦, ୨୦୧୭ରେ ମାରାଥନ୍‌ ଶୁଣାଣି କରି ସୁପ୍ରିମକୋର୍ଟ୍‌ଙ୍କ ତିନି ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏ ଏମ ଖାନଓ୍ଵିଲକର ଏବଂ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କାବେରୀ ଜଳବିବାଦର ରାୟ ମାସକ ମଧ୍ୟରେ ପ୍ରକାଶ ପାଇବ ବୋଲି କହିଛନ୍ତି।
୨୦୧୬ ମସିହାରେ ସାମାଜିକ କାର୍ଯ୍ୟକର୍ତ୍ତା କିରନ୍‌ ମଜୁମଦାରଙ୍କ ପରିଚାଳନାରେ ଏକ ନାଗରିକ ଗୋଷ୍ଠୀ କରିଥିବା ଆବେଦନର ଶୁଣାଣି ସମୟରେ କୋର୍ଟ ଆଜି ଏହା ସ୍ପଷ୍ଟ କରିଛନ୍ତି। ବେଙ୍ଗାଲୁରୁ ବାସିନ୍ଦାଙ୍କର ପର୍ଯ୍ୟାପ୍ତ ଜଳର ଆବଶ୍ୟକତା ରହିଛି ଏବଂ ସେମାନଙ୍କ ଜୀବନ ଜିଇଁବାର ଅଧିକାରକୁ ସୁପ୍ରିମକୋର୍ଟ ସୁରକ୍ଷା ଦେବା ଜରୁରୀ ବୋଲି ବେଙ୍ଗାଲୁରୁ ରାଜନୈତିକ ଆକ୍ସନ୍‌ କମିଟି (ବିପିଏସି) ପକ୍ଷରୁ ମଜୁମଦାର କୋର୍ଟରେ ଆବେଦନ କରିଥିଲେ। ବେଙ୍ଗାଲୁର ସହରରେ ଏବଂ ଦକ୍ଷିଣ କର୍ଣ୍ଣାଟକର କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି ବୋଲି ଉକ୍ତ ଆବେଦନରେ ଦର୍ଶା ଯାଇଥିଲା। ୨୦୧୬-୧୭ ମସିହାରେ ଦକ୍ଷିଣ ପଶ୍ଚିମ ମୌସୁମି ବର୍ଷା ସଠିକ୍‌ ଭାବେ ନହେବାରୁ କର୍ଣ୍ଣାଟକର ବିଭିନ୍ନ ଅଂଶରେ ଏବଂ ନିର୍ଦ୍ଦିଷ୍ଟ ଭାବେ କାବେରୀ ନଦୀର ଜଳାଶୟ ଗୁଡ଼ିକରେ ଜଳାଭାବ ଦେଖାଦେଇଥିବା ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର