କାବେରୀ ଜଳବିବାଦ :ସୁପ୍ରିମକୋର୍ଟରେ ଚିଠା ପ୍ରସ୍ତାବ ଉପସ୍ଥାପନ

ନୂଆଦିଲ୍ଲୀ : କଡ଼ା ସମାଲୋଚନାର ଶିକାର ହେବାପରେ ଶେଷରେ କେନ୍ଦ୍ର ସରକାର କାବେରୀ ଜଳବଣ୍ଟନ ମାମଲା ସମ୍ପର୍କିତ କାବେରୀ ଜଳ ପ୍ରବନ୍ଧନ ଯୋଜନା ଚିଠା ପ୍ରସ୍ତାବ ଆଜି ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛନ୍ତି। ସୁପ୍ରିମକୋର୍ଟ ଗତ ମେ’ ୮ ତାରିଖରେ କେନ୍ଦ୍ର ଜଳସମ୍ପଦ ସଚିବ ୟୁ.ପି. ସିଂହଙ୍କୁ କାବେରୀ ଜଳ ବଣ୍ଟନ ସମ୍ପର୍କିତ ଚିଠା ପ୍ରସ୍ତାବ ସହ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ସମନ୍‌ କରିଥିଲେ। ତେବେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ କେନ୍ଦ୍ରଠାରୁ ଚିଠା ପ୍ରସ୍ତାବ ଗ୍ରହଣ କରିବାପରେ ସ୍ପଷ୍ଟ କରିଛନ୍ତି ଯେ କୋର୍ଟ ଏହି ଯୋଜନାର ଔଚିତ୍ୟ କିମ୍ବା ବୈଧତା ବିଷୟକୁ ଯିବେନାହିଁ।

ଦ୍ୱିତୀୟ ଥର ପାଇଁ ଏହି ମାମଲାରେ ପୁଣିଥରେ କର୍ଣ୍ଣାଟକ, ତାମିଲନାଡ଼ୁ, ପୁଡ଼ୁଚେରୀ ଏବଂ କେରଳ ମଧ୍ୟରେ ମକଦ୍ଦମା ଦୀର୍ଘଦିନ ଧରି ଚଳାଇବାକୁ କୋର୍ଟ ଚାହାନ୍ତିନି ବୋଲି କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ପକ୍ଷରୁ ଆଜି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି ଯେ କାବେରୀ ଜଳ ପ୍ରବନ୍ଧନ ବୋର୍ଡ ୨୦୧୮ ପାଇଁ ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ କେନ୍ଦ୍ର ସରକାର ତତ୍ପର ଅଛନ୍ତି। ବେଣୁଗୋପାଳ କହିଛନ୍ତି ଯେ ତଟବର୍ତ୍ତୀ ରାଜ୍ୟଗୁଡ଼ିକୁ ଚିଠାପ୍ରସ୍ତାବର କପି ଦେଇ ସେମାନଙ୍କୁ ଯୋଜନା ସମ୍ପର୍କିତ ଆଲୋଚନାରେ ସାମିଲ ହେବାପାଇଁ କୁହାଯିବ, ନଚେତ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ଆଇନର ଧାରା ୬(କ) ଅଧୀନରେ ଚିଠା ପ୍ରସ୍ତାବକୁ ଚୂଡ଼ାନ୍ତ କରାଯିବ।

ସମ୍ବନ୍ଧିତ ଖବର