ପରଲୋକରେ କବି କେଦାରନାଥ ସିଂହ

ନୂଆଦିଲ୍ଲୀ : ବିଶିଷ୍ଟ ହିନ୍ଦୀ କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା କେଦାରନାଥ ସିଂହଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ପେଟବ୍ୟଥା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଧୁନିକ ହିନ୍ଦୀ କବିତାର ଜଣେ ଆଗଧାଡ଼ିର ସଫଳ ସ୍ରଷ୍ଟା ରହିଥିବା ସ୍ୱର୍ଗତ କେଦାରନାଥଙ୍କର ପ୍ରାବନ୍ଧିକ ଏବଂ ସମାଲୋଚକ ଭାବେ ମଧ୍ୟ ଯଥେଷ୍ଟ ଖ୍ୟାତି ରହିଛି। କବିତା ସଂକଳନ ‘ଅକଲ ମେଁ ସରସ’ ପାଇଁ ୧୯୮୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ହାସଲ କରିଥିବା କେଦାରନାଥଙ୍କୁ ୨୦୧୩ ମସିହାରେ ଦେଶର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ସମ୍ମାନ ପ୍ରଦାନ କରାଯାଇଥିଲା। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଅଧୀନ ଭାରତୀୟ ଭାଷା କେନ୍ଦ୍ରର ହିନ୍ଦୀ ବିଭାଗର ମୁଖ୍ୟ ରହିଥିବା କେଦାରନାଥଙ୍କର ‘ଜମିନ୍‌ ପକ୍‌ ରହି ହୈ’, ‘ବାଗ୍‌’, ‘ଟଲଷ୍ଟୟ ଔର ସାଇକଲ୍‌’, ‘ୟହାଁ ସେ ଦେଖୋ’ ଏବଂ ‘ଅଭି ବିଲକୁଲ୍‌ ଅଭି’ ଆଦି କବିତା ସଂକଳନ ତାଙ୍କ ପାଇଁ ସ୍ୱତନ୍ତ୍ର ପରିଚିତି ଆଣିପାରିଛି। ସେହିପରି ତାଙ୍କ ରଚିତ ‘କଳ୍ପନା ଔର୍‌ ଛାୟାବାଦ’, ‘କବରିସ୍ତାନ ମେଁ ପଞ୍ଚାୟତ’, ‘ହିନ୍ଦୀ କବିତା ମେଁ ବିମ୍ବ ବିଧାନ’ ଏବଂ ‘ମେରେ ମସୟ କେ୍‌ ଶବ୍ଦ’ ଆଦି ଗଳ୍ପ ଓ ପ୍ରବନ୍ଧ ଯଥେଷ୍ଟ ପାଠକୀୟ ଆଦୃତି ଲାଭ କରିଛି।

ସମ୍ବନ୍ଧିତ ଖବର