ନୂଆଦିଲ୍ଲୀ : ସ୍ଥାନୀୟ ଅଶୋକ ହୋଟେଲ କନଭେନସନ୍ ହଲରେ ଆୟୋଜିତ ବିଶ୍ବ ବୌଦ୍ଧ ସମ୍ମିଳନୀର ଉଦ୍ଯାପନୀ ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଖ୍ୟାତି ସଂପନ୍ନ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ। ଶ୍ବେତମୁକ୍ତି ନିର୍ବାଣ ଚିନ୍ତାକଳ୍ପକୁ ଓଡ଼ିଶୀ ନୃତ୍ୟ ରୂପରେ କବିତା ଓ ତାଙ୍କ ୫ ଜଣିଆ ନୃତ୍ୟ ଦଳ ଅନୁସୂୟା ଚୌଧୁରୀ, ମାନସୀ ମଇତ ସାହୁ, ସୋନାଲୀ ବରୁଆ, ଅଞ୍ଜଳୀ ରାୟ ଓ ଅବଦେଶ ଗୌଡ଼ଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା।
ନୃତ୍ୟର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ। କବିତାଙ୍କ ଦ୍ବାରା ବିଶ୍ବ ବୌଦ୍ଧ ସମ୍ମିଳନୀର ଅତିଥିମାନଙ୍କ ପାଇଁ ଓଡ଼ିଶୀ ନୃତ୍ୟର ସ୍ବତନ୍ତ୍ର କନ୍ସେପ୍ଟ ଓ କରିଓଗ୍ରାଫି କରାଯାଇଥିଲା। ନୃତ୍ୟକୁ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବା ବୌଦ୍ଧ ସନ୍ୟାସୀ, ଆଧ୍ୟାତ୍ମିକ ନେତା, କୁଟନୀତିଜ୍ଞ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କ ଦ୍ବାରା ପ୍ରଶଂସା କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କବିତା ଓ ତାଙ୍କ ଦଳକୁ ସମ୍ମାନିତ କରିଥିଲେ।