ବନ୍ଦ ହେଲା କାବୁଲ ଏୟାରସ୍ପେସ, ଦିଲ୍ଲୀ ଏବଂ କାବୁଲ ମଧ୍ୟରେ ଚଳାଚଳ କରିବାକୁ ଥିବା ସମସ୍ତ ବିମାନ ବାତିଲ

ନୂଆଦିଲ୍ଲୀ: କାବୁଲ ଏୟାରସ୍ପେସ୍ ବନ୍ଦ କରି ଦିଆଯିବାରୁ ଏବେ କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ। ଏନେଇ ସୂଚନା ଦେଇଛନ୍ତି କାବୁଲ ବିମାନବନ୍ଦର ଅଧିକାରୀ। ଏହି କାରଣ ପାଇଁ ଏବେ କୌଣସି ବିମାନ ସେଠାରେ ଅବତରଣ କରିପାରିବ ନାହିଁ। ଭାରତୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତରୁ କାବୁଲକୁ ଉଡ଼ାଣ କରିବାକୁ ଥିବ‌ା ଦୁଇଟି ଏୟାରଇଣ୍ଡିଆ ବିମାନ ଏବେ ସେଠାକୁ ଯାଇପାରିବ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

ସୂଚନା ମୁତାବକ, ତାଲିବାନର କାର୍ଯ୍ୟକଳାପ ଦେଖି ଭାରତ ସରକାର ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଏୟାରଇଣ୍ଡିଆକୁ ଦୁଇଟି ବିମାନ କାବୁଲରେ ପ୍ରସ୍ତୁତ ରଖିବାକୁ କହିଥିଲେ। ଆଜି ଏୟାରଇଣ୍ଡିଆ ବିମାନ ଦିଲ୍ଲୀରୁ ଉଡ଼ାଣ କରି ଦିିନ ୧୨.୩୦ରେ କାବୁଲରେ ପହଞ୍ଚିବ ବୋଲି ଯୋଜନା ରହିଥିଲା। କିନ୍ତୁ ଏବେ କାବୁଲ ଏୟାରସ୍ପେସ୍ ବନ୍ଦ ଥିବାରୁ ବିମାନ କାବୁଲରେ ପହଞ୍ଚିପାରିବ ନାହିଁ ବୋଲି ଜଣାପଡ଼ିଛି।

US troops fire in air as fleeing Afghans mob tarmac at Kabul airport
indiatoday.in

ସୂତ୍ରରୁ ପ୍ରକାଶ ଯେ, କ‌ାବୁଲର ଏୟାରସ୍ପେସ୍ ବନ୍ଦ ହୋଇଯିବାରୁ ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଅଲଗା ଆକାଶ ମାର୍ଗ ଦେଇ ଆସିବାର ସମ୍ଭାବନା ରହିଛି। ବିମାନ ଏଆଇ-୧୨୬(ଚିକାଗୋ-ନୂଆଦିଲ୍ଲୀ) ଏବଂ ଏଆଇ-୧୭୪ (ସାନ ଫ୍ରାନ୍ସିସ୍କୋ-ନୂଆଦିଲ୍ଲୀ) ବିମାନ ଏବେ ଇନ୍ଧନ ଭରିବା ପାଇଁ ଏକ ଗଲ୍ଫ ରାଷ୍ଟ୍ରକୁ ଯିବ ବୋଲି ଜଣାପଡ଼ିଛି।

ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସମସ୍ତ ବିମାନକୁ ଅଲଗା ମାର୍ଗ ଦେଇ ଯିବାକୁ କହିଛି। ଏବେ ଆଗାମୀ ସୂଚନା ପର୍ଯ୍ୟନ୍ତ କୌଣସି ବିମାନ ଆଫଗାନିସ୍ତାନ ଏୟାରସ୍ପେସ ଦେଇ ଯାତ୍ରା କରିବ ନାହିଁ।

ସମ୍ବନ୍ଧିତ ଖବର