କାବୁଲ୍‌ରେ ବିସ୍ଫୋରଣ, ୧୦୦ ମୃତ

କାବୁଲ୍‌: ଆଜି ପୁଣି ଏକ ଭୟଙ୍କର ବିସ୍ଫୋରଣରେ ଦୋହଲି ଯାଇଛି ଆଫଗାନିସ୍ତାନର ରାଜଧାନୀ କାବୁଲ୍‌। ସହରର ଏକ ପୁଲିସ ଚେକ୍‌ପଏଣ୍ଟ୍‌ ନିକଟରେ ହୋଇଥିବା ଆମ୍ବୁଲାନ୍ସ କାର୍‌ ବୋମା ବିସ୍ଫୋରଣରେ ୯୫ ଜଣଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୨ ଶହ ଲୋକ ଆହତ ହୋଇଛନ୍ତି। କଡ଼ା ସୁରକ୍ଷା ବଳୟରେ ଥିବା ବିିଦେଶ ଦୂତାବାସ ଏବଂ ସରକାରୀ କାର୍ଯ୍ୟାଳୟ ଅଂଚଳରେ ଏହି ବିସ୍ଫୋରଣ ଘଟିଥିବାରୁ ସମଗ୍ର ଅଂଚଳକୁ ସେନା ଘେରାଉ କରି ରଖିଛି। ଆତ୍ମଘାତୀ ଆତଙ୍କବାଦୀ ଆମ୍ବୁଲାନ୍‌୍‌ସରେ ଅତି ଶକ୍ତିଶାଳୀ ବିସ୍ଫୋରକ ବୋଝେଇ କରି ବ୍ୟସ୍ତ ଟ୍ରାଫିକ୍‌ ଭିତରେ ଏହି ବିସ୍ଫୋରଣ ଘଟାଇଥିଲା। ବିସ୍ଫୋରଣ ପାଇଁ ତାଲିବାନ୍‌ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ତାଲିବାନ ଓ ହକାନି ନେଟ୍‌ଓ୍ଵର୍କ ମିଳିତ ଭାବେ ଏହି ଆକ୍ରମଣ କରିଥିବା କୁହାଯାଇଛି। ଏହା ପୂର୍ବରୁ କାବୁଲର ଏକ ଅନ୍ତର୍ଜାତୀୟ ହୋଟେଲରେ ହୋଇଥିବା ଆକ୍ରମଣ ପାଇଁ ମଧ୍ୟ ତାଲିବାନ ନିଜକୁ ଦାୟୀ କରିଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ସଂସଦୀୟ ସଦସ୍ୟ ମିରେଓ୍ଵଜ୍‌ ୟାସିନିଙ୍କ କହିବା ଅନୁଯାୟୀ ଆମ୍ବୁଲାନ୍ସଟି ହାଇ ପିସ୍‌ କାଉନସିଲ୍‌ ଅଫିସ ଏବଂ ବିଦେଶ ଦୂତାବାସ ଅଂଚଳ ଥିବା ପୁଲିସ ଚେକ୍‌ପଏଣ୍ଟ୍‌ ନିକଟରେ ବିସ୍ଫୋରଣ ହୋଇଥିଲା। ଘଟଣା ବେଳେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ରହିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ସ୍ଥଳ ଅଂଚଳରେ ଥିବା ୫୦ରୁ ଅଧିକ କୋଠା ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ପରେ ପରେ ତାଲିବାନ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ମିଳିତ ବାହିନୀ ଅପରେସନ ଆରମ୍ଭ କରିଥିବା ଗୃହ ମନ୍ତ୍ରାଳୟ ମୁଖପାତ୍ର ଓ୍ଵାହିଦ୍‌ ମଜରୋହ କହିଛନ୍ତି। ଆଜି ବିସ୍ଫୋରଣ ପରେ ଆଫଗାନ ସରକାର ଏକ ଜରୁରୀ ବୈଠକ ଡକାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଦୂତାବାସ ଅଂଚଳ ତାଲିବାନ୍‌ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିବାରୁ ସେଠାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ସମ୍ବନ୍ଧିତ ଖବର