ଆମ୍ବୁଲାନ୍ସରେ ବୋମା ଖଞ୍ଜି ଉଡାଇଦେଲା ତାଲିବାନ, ୯୫ ମୃତ

କାବୁଲ: ଆତଙ୍କବାଦୀ ଆକ୍ରମଣରେ ପୁଣି ଦୋହଲିଯାଇଛି ଆଫଗାନିସ୍ତାନର ରାଜଧାନୀ କାବୁଲ । ଏକ ଆମ୍ବୁଲାନ୍ସ ଭିତରେ ଥିବା ବୋମା ବିସ୍ଫୋରଣ ହେବାରୁ ପ୍ରାୟ ୯୫ ଜଣ ଲୋକ ନିହତ ହେବା ସହ ୧୫୮ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି ଆଫଗାନିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମୁଖପାତ୍ର ଓ୍ଵାଜିତ୍‌ ମଜରୁହ ।

ଶନିବାରଦିନ କାବୁଲର ଅତି ସୁରକ୍ଷିତ ଅଂଚଳ ମନେକରାଯାଉଥିବା ହାଇ ପିସ୍‌ କାଉନସିଲ ଅଫିସ ନିକଟରେ ଥିବା ଏକ ପୋଲିସ୍‌ ଚେକ୍‌ ପୋଷ୍ଟ ଅଂଚଳରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ବୋମାଟି ଉକ୍ତ ଚେକ ପୋଷ୍ଟ ନିକଟରେ ଥିବା ଏକ ଆମ୍ବୁଲାନ୍ସ ଭିତରେ ରଖାଯାଇଥିଲା ।
ଶନିବାରଦିନ ଆଫଗାନିସ୍ତାରେ କାର୍ଯ୍ୟଦିବସ ଥିବାରୁ ଉକ୍ତ ଅଞ୍ଚଳରେ ବେଶ ଗହଳିଚହଳି ଥିଲା । ନିକଟରେ ଏକ ହସପିଟାଲ ଥିବାରୁ ମୃତାହତ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଆତଙ୍କବାଦୀ ସଂଗଠନ ତାଲିବାନ ଏହି ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ।
ଆଫଗାନିସ୍ତାନର ଜଣେ ସାଂସଦ ମିରଓ୍ଵାଇଜ୍‌ ୟାସିନି କହିଛନ୍ତି ଯେ ଆତଙ୍କବାଦୀମାନେ ଆମ୍ବଲାନ୍ସଟିରେ ବୋମା ଖଞ୍ଜି ଉକ୍ତ ହାଇ ସିକ୍ୟୁରିଟି ଜୋନକୁ ପଠାଇଥିଲେ । ଉକ୍ତ ଅଂଚଳରେ ବିଭିନ୍ନ ଦେଶର ଦୂତାବାସ ରହିଛି । ଏଥିରୁ ଜଣାପଡୁଛି ଯେ ତାଲିବାନ ଏକ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରିଥିଲା, ଯେଉଁଥିରେ ବିଦେଶୀ ଦୂତାବାସ କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଥିଲା ।

ସମ୍ବନ୍ଧିତ ଖବର