ଏୟାର ଇଣ୍ଡିଆ ବିମାନରେ ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୯ ଯାତ୍ରୀ

ନୂଆଦିଲ୍ଲୀ :  ଆଫଗାନିସ୍ତାନ ରାଜଧାନୀ କାବୁଲରୁ ଶତାଧିକ ଯାତ୍ରୀଙ୍କୁ ଧରି ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରେ ଓହ୍ଲାଇଛି। ଏହି ବିମାନରେ ମୋଟ୍ ୧୨୯ ଜଣ ଯାତ୍ରୀ  ଭାରତ ଫେରିଛନ୍ତି ଓ ଅଧିକାଂଶ ଭାରତୀୟ ବୋଲି ଜଣାପଡ଼ିଛି । ବିମାନଟି କାବୁଲ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରି ଆଜି ସଂଧ୍ୟା ୭.୪୫ରେ ନୂଆଦିଲ୍ଲୀରେ ପହଞ୍ଚିଛି। ଆସନ୍ତାକାଲି ମଧ୍ୟ କାବୁଲ ଓ ନୂଆଦିଲ୍ଲୀ ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଜାରି ରହିବ। ଏୟାର ଇଣ୍ଡିଆର ଜ‌ଣେ ଅଧିକାରୀ ଏହା ପ୍ରକାଶ କରିଛନ୍ତି।

କାବୁଲକୁ ତାଲିବାନ ଦଖଲ କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇପଡ଼ିଛି । ଯଦିଓ କାବୁଲ ଏୟାରପୋର୍ଟ ଏବେ ବି ଆମେରିକା ସେନା ଅଧିନରେ ରହିଛି, କିନ୍ତୁ  ଆଫଗାନିସ୍ତାନ ଆକାଶ ଅସୁରକ୍ଷିତ ହୋଇପଡ଼ିଥିବାରୁ ବେସାମରିକ ବିମାନ ଚଳାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି । ତେବେ ଏୟାର ଇଣ୍ଡିଆ କାବୁଲକୁ ଉଡାଣ ବନ୍ଦ କରିନାହିଁ। ସୋମବାର କାବୁଲ ଓ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛିି।

ସୂଚନାଯୋଗ୍ୟ, ତାଲିବାନର ଯୋଦ୍ଧାମାନେ ଏବେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । କ୍ଷମତା ହସ୍ତାନ୍ତର ପାଇଁ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବାରୁ ହିଂସା ନ କରିବାକୁ ତାଲିବାନର ନେତୃତ୍ବ ନିଜ ଯୋଦ୍ଧାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର