ବିସ୍ଫୋରଣରେ ଥରିଲା କାବୁଲ: ୪୦ ମୃତ, ଶତାଧିକ ଆହତ, ଆକ୍ରମଣ ପଛରେ ଆଇଏସ୍‌

ବିମାନ ବନ୍ଦର ଅଂଚଳ ତତ୍କାଳ ଖାଲି କରିବାକୁ କହିଲା ଆମେରିକା, ଆଗକୁ ବି ବଡ଼ ଆକ୍ରମଣ ଆଶଙ୍କା

କାବୁଲ: କାବୁଲ ବିମାନ ବନ୍ଦରରେ ଆଜି ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଅତି କମ୍‌ରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ମହିଳା, ଶିଶୁଙ୍କ ସମେତ ୪ ଜଣ ଆମେରିକୀୟ ସୈନିକ ଥିବା ଜଣାପଡ଼ିଛି। ପ୍ରଥମ ବିସ୍ଫୋରଣ ବିମାନ ବନ୍ଦର ମୁଖ୍ୟ ଫାଟକ ନିକଟରେ ସନ୍ଧ୍ୟା ୭ଟା ୧୫ରେ ହୋଇଥିଲା ଏବଂ ଦ୍ବିତୀୟ ବିସ୍ଫୋରଣ ରାତି ୮ଟାରେ ବିମାନ ବନ୍ଦରକୁ ଲାଗି ରହିଥିବା ହୋଟେଲ ବାରୋନ୍‌ ସମ୍ମୁଖରେ ହୋଇଥିଲା। ଆଇଏସ୍‌ ଆତଙ୍କବାଦୀ ଏହି ବିସ୍ଫୋରଣ ଘଟାଇଥିବା କୁହାଯାଉଥିବା ବେଳେ ତାଲିବାନ ଏହାକୁ ନିନ୍ଦା କରିଛି। ଏହି ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟାକୁ ପ୍ରଚଣ୍ଡ ଝଟ୍‌କା ଲାଗିଛି।

ହମିଦ କରଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦୃଶ୍ୟ ଏବେ ଅତି ଭୟାନକ ରହିଛି। ବିମାନ ବନ୍ଦର ଆଖପାଖ ଅଂଚଳରେ ଦଳଚକଟାରେ ଅନେକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଆମେରିକା ଓ ନାଟୋ ସେନା ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବିମାନ ବନ୍ଦରର ସମସ୍ତ ଗେଟ୍‌ ବନ୍ଦ କରିଦିଆଯାଇଛି। ଆଗକୁ ମଧ୍ୟ ଆହୁରି ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ରିପୋର୍ଟ ମିଳିଛି। ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କର ସେନା ଏବେ କାବୁଲ ବିମାନ ବନ୍ଦରକୁ ସୁରକ୍ଷା ଦେଉଛନ୍ତି ଏବଂ ପ୍ରାୟ ୫୦ ହଜାର ଲୋକ ଫେରିବା ପାଇଁ ବିମାନ ବନ୍ଦର ଆଖପାଖ ଅଂଚଳରେ ରହିଛନ୍ତି। ଆତଙ୍କବାଦୀଙ୍କ ଦ୍ବାରା ଆଗକୁ ମଧ୍ୟ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ଆଶଙ୍କା ଥିବାରୁ ତୁରନ୍ତ ନାଗରିକମାନଙ୍କୁ ଏହି ଅଂଚଳ ଛାଡ଼ି ନିରାପଦ ସ୍ଥାନକୁ ଯିବା ପାଇଁ ଆମେରିକା ସେନା କହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କାବୁଲ ପରିସ୍ଥିତି ନେଇ ଜାତୀୟ ସୁରକ୍ଷା ପରିଷଦର ବୈଠକ କରିଛନ୍ତି। ବିମାନ ବନ୍ଦର ଅଂଚଳକୁ ପୁଣି ସୁରକ୍ଷିତ ଘୋଷଣା କରାଗଲେ ହିଁ ନାଗରିକମାନେ ଫେରିପାରିବେ ବୋଲି ଆମେରିକା ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ।

ଅଗଷ୍ଟ ୧୫ରୁ ଆଜି ସୁଦ୍ଧା ପ୍ରାୟ ୯୦ ହଜାର ଆଫାଗାନ୍‌ ଏବଂ ବିଦେଶୀ ନାଗରିକଙ୍କୁ ଆମେରିକା ନେତୃତ୍ବରେ ଏଠାରୁ ଖାଲି କରାଯାଇଛି ଏବଂ ଆହୁରି ୪୦ ହଜାର ଲୋକଙ୍କୁ ଖାଲି କରିବାକୁ ଟାର୍ଗେଟ୍‌ ରହିଛି । ଆଫ୍‌ଗାନିସ୍ତାନର ବିଭିନ୍ନ ପ୍ରଦେଶରୁ ଲୋକେ ଦେଶ ଛାଡ଼ିବା ପାଇଁ ବିମାନ ବନ୍ଦରରେ ଭିଡ଼ ଜମାଉଥିବାରୁ ସେଠାରେ ଅଣାୟତ୍ତ ସ୍ଥିତି ଉପୁଜିଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ଏବେ ଅନ୍ୟ ଆତଙ୍କବାଦୀ ସଂଗଠନ ସହାୟତାରେ କାବୁଲରେ ଭୟାନକ ସ୍ଥିତି ସୃଷ୍ଟି କରିବାକୁ ଚାହୁଛି। ଆଇଏସ୍‌ ଆମ ନିୟନ୍ତ୍ରଣରେ ନାହିଁ ବୋଲି ଇତିମଧ୍ୟରେ ତାଲିବାନ କହିଛି। ଆମେରିକାର ଓ ବ୍ରିଟେନ୍‌ର ପ୍ରାୟ ୭ ହଜାର ସୈନିକ ଏବେ ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି।

ସମ୍ବନ୍ଧିତ ଖବର