ନୂଆଦିଲ୍ଲୀ: ସିସୋଦିଆ ଉପସ୍ଥାପନ କରିଥିଲେ ଆହୁରି ଆନନ୍ଦ ହୋଇଥାଆନ୍ତି କହି ଆଜି ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାସ ଗହଲୋତ୍ ୭୮,୮୦୦ କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି।
ବିଜ୍ଞାପନ ଓ ପ୍ରଚାର ବାବଦକୁ ବ୍ୟାପକ ବ୍ୟୟ ମଞ୍ଜୁରି କରାଯାଉଥିବା କଥାରେ ‘ଆମ୍ ଆଦ୍ମୀ ପାର୍ଟି’ ଓ ‘କେନ୍ଦ୍ର ସରକାର’ଙ୍କ ମଧ୍ୟରେ ବିବାଦ ହୋଇ ଦୁଇ ଦିନ ଅଳଚାବସ୍ଥା ଲାଗି ରହିବା ପରେ ଆଜି ବର୍ଷ ୨୦୨୩-୨୪ ଦିଲ୍ଲୀ ବଜେଟ୍ ଉପସ୍ଥାପନ ସମ୍ଭବପର ହୋଇଛି।
ଅର୍ଥ ବିଭାଗ ଦାୟିତ୍ବରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ କ୍ୟାବିନେଟ୍ରୁ ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ କୈଳାସ ଗହଲୋତ୍ ଅର୍ଥମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ। ଆଜି ବଜେଟ୍ ଅଭିଭାଷଣ ଦେବା ବେଳେ ଗହଲୋତ୍ କହିଲେ, ସିସୋଦିଆ ବଜେଟ୍ ଉପସ୍ଥାପନ କରିଥିଲେ ଆହୁରି ଖୁସି ହୋଇଥା’ନ୍ତି। ସେ ମୋର ବଡ଼ଭାଇ। ସମଗ୍ର ବିଶ୍ବର ଶିଶୁମାନଙ୍କର ଶୁଭେଚ୍ଛା ତାଙ୍କ ପ୍ରତି ରହିଛି ବୋଲି ମୁଁ ସୁନିଶ୍ଚିତ।

ବଜେଟ୍ ଅଭିଭାଷଣରେ ଗହଲୋତ୍ ଦିଲ୍ଲୀର ‘ମଡେଲ୍ ଅଫ୍ ଗଭର୍ଣ୍ଣାନ୍ସ୍’କୁ ପ୍ରଶଂସା କରି କହିଲେ ଯେ, ‘ଆପ୍’ ସରକାର ଦୁର୍ନୀତି ପ୍ରତି କଠୋର ଶାସ୍ତି ବିଧାନ କରିଛି।
ଦିଲ୍ଲୀକୁ ପରିଚ୍ଛନ୍ନ, ମନୋରମ ଓ ଆଧୁନିକ କରିବା ପାଇଁ ବଜେଟ୍ରେ ୨୧,୦୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ଅନେକ ଉପକ୍ରମ ଗ୍ରହଣ କରିଛନ୍ତି।
ଏହାଛଡ଼ା, ଅଳ୍ପ ଦିନ ତଳେ ଉଦ୍ଘାଟିତ ଆଶ୍ରମ ଫ୍ଲାଏଓଭର୍ ସମତେ ଦିଲ୍ଲୀ ସରକାରଙ୍କ ଭିତ୍ତିଭୂମି ପ୍ରକଳ୍ପକୁ ପ୍ରଶଂସା କରି ଅର୍ଥମନ୍ତ୍ରୀ ଗହଲୋତ୍ କହିଛନ୍ତି ଯେ, ସେ ସବୁ ସହରରେ ଅବାଧ ଯାତାୟାତକୁ ସୁନିଶ୍ଚିତ କରିବ।