ନୂଆଦିଲ୍ଲୀ: ସଂପ୍ରତି କୈଳାଶ ମାନସରୋବର ଯାତ୍ରାରେ ବାହାରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯାତ୍ରାଙ୍କୁ ନେଇ ଏବେ ଦେଶ ବ୍ୟାପି ଅନେକ ଚର୍ଚ୍ଚା ଓ ଆଲୋଚନା ଚାଲିଛି। ଇଣ୍ଟରନେଟ୍ରୁ କଂଗ୍ରେସ ଅଧ୍ୟକ୍ଷଙ୍କ ମାନସରୋବର ଯାତ୍ରାକାଳର ବିଭିନ୍ନ ଫଟୋ ସଂଗ୍ରହ କରି ସେଥିରେ ବିଭିନ୍ନ ପ୍ରକାରର ରଙ୍ଗମାରି ତାଙ୍କ ନାମରେ ବିଭିନ୍ନ ମିଛ କଥାର ଅପପ୍ରଚାର କରି ରାହୁଲଙ୍କୁ ସାଧାରଣରେ ନିନ୍ଦିତ କରାଇବା ସହ ତାଙ୍କ ଯାତ୍ରାକୁ ଭଣ୍ଡୁର କରିବା ପାଇଁ ବିରୋଧୀ ଦଳମାନେ ଅପଚେଷ୍ଟା ଚଳାଇଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ତେବେ, ରାହୁଲଙ୍କ ମାନସରୋବର ଯାତ୍ରାକୁ କେନ୍ଦ୍ରକରି ଦେଶରେ ଚାଲିଥିବା ଚର୍ଚ୍ଚା ଓ ଆଲୋଚନା ତାଙ୍କୁ ଆଦୌ ହେଲେ ପ୍ରଭାବିତ କରିପାରି ନଥିବା ଦେଖିବାକୁ ମିଳିଛି। କୈଳାଶ ମାନସରୋବର ଦର୍ଶନ ପାଇଁ ଏକମାତ୍ର ଲକ୍ଷ୍ୟଧରି ବାହାରି ଥିବା ରାହୁଲ ତାଙ୍କ ଯାତ୍ରାରେ ଅଟଳ ଓ ଅଚଳ ରହିଛନ୍ତି। ଗତ ଅପ୍ରେଲ ମାସରେ ଏକ ଭୟାବହ ବିମାନ ଦୁର୍ଘଟଣାରୁ ଅଳ୍ପକରେ ରକ୍ଷା ପାଇଯିବା ପରେ ରାହୁଲ କୈଳାଶ ମାନସରୋବର ଯାତ୍ରାରେ ଯିବା ପାଇଁ ମନସ୍ଥ କରିଥିଲେ। ମାନସେରୋବର ଯାତ୍ରା କାଳରେ ରାହୁଲ ଗତ କାଲି ଦୀର୍ଘ ୧୩ ଘଣ୍ଟା ଧରି ଚାଲିଚାଲି ୩୪ କିଲୋମିଟର ରାସ୍ତା ଅତିକ୍ରମ କରିବା ସହ ପର୍ବତାରୋହଣ କରି ସମୁଦ୍ର ପତ୍ତନ ଠାରୁ ୧୮, ୫୬୨ ଫୁଟ ଉପରେ ପହଞ୍ଚି ଥିବା ଜାଣିବାକୁ ମିଳିଛି।
The stunning beauty of lake Rakshas Tal.#KailashYatrapic.twitter.com/GXYsR4hjAT
— Rahul Gandhi (@RahulGandhi) September 5, 2018
ମାନସରୋବର ଯାତ୍ରା କାଳରେ ରାହୁଲ ଯାତ୍ରାପଥରେ ପଡ଼ୁଥିବା ବିଭିନ୍ନ ମନୋରମ ପ୍ରକୃତିକ ଶୋଭାରାଜିର ଫଟୋ ଓ ଭିଡିଓ ଉତ୍ତେଳନ ସହ ସେଗୁଡ଼ିକୁ ତାଙ୍କର ଟ୍ଵିଟରରେ ଛାଡ଼ୁଥିବା ଦେଖିବାକୁ ମିଳିଛି। ନିଜର ଏକ ଟ୍ଵିଟର ପୋଷ୍ଟିଂରେ ରାହୁଲ ଲେଖିଛନ୍ତି, ହିନ୍ଦୁଙ୍କର ପରମ ଆରାଧ୍ୟ ଶିବଙ୍କର ନିବାସ ସ୍ଥାନ ହେଉଛି କୈଳାଶ ପର୍ବତ। ମୁଁ ଅତ୍ୟନ୍ତ ଭାଗ୍ୟବାନ, କାରଣ ଏଠାକୁ ୧୨ରୁ ୧୫ ଦିନ ପାଇଁ ମୁଁ ଏଠାକୁ ଏକ ତୀର୍ଥ ଯାତ୍ରାରେ ଆସିବା ପାଇଁ ସୁଯୋଗ ପାଇଛି। କାରଣ, ଏଠାରୁ ଡାକରା ନପାଇବା ପର୍ଯ୍ୟନ୍ତ କେହି ହେଲେ ଏଠାକୁ ଆସି ପାରନ୍ତି ନାହିଁ।
Shiva is the Universe. #KailashYatrapic.twitter.com/1do7SW9eb4
— Rahul Gandhi (@RahulGandhi) September 7, 2018
ଏଥିସହ ମାନସରୋବର, ଏହାର ଜଳରାଶି, ବରଫାବୃତ୍ତ ପର୍ବତ, କୈଳାଶ ପର୍ବତ ଶୃଙ୍ଗରେ ସୂର୍ଯ୍ୟୋଦୟ ପ୍ରଭୃତି ପ୍ରାକୃତିକ ଶୋଭାରାଜିର ଏକାଧିକ ଭିଡିଓ ଉତ୍ତୋଳନ କରିବା ସହ ରାହୁଲ ସେଗୁଡ଼ିକୁ ତାଙ୍କ ଟ୍ଵିଟର ପେଜ୍ରେ ପୋଷ୍ଟିଂ କରିଛନ୍ତି। ଗତ ଅଗଷ୍ଟ ୩୧ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ୧୨ରୁ ୧୫ ଦିନ ପାଇଁ ତାଙ୍କର ମାନସରୋବର ତୀର୍ଥ ଯାତ୍ରା ଆରମ୍ଭ କରିଥିଲେ। ତେବେ, ସୁରକ୍ଷାକୁ ଦୃଷ୍ଟିରେ ରଖି ରାହୁଲଙ୍କ ତୀର୍ଥଯାତ୍ରାର ସବିଶେଷ କାର୍ଯ୍ୟସୂଚୀକୁ ସାଧାରଣରେ ପ୍ରକାଶ କରାଯାଇ ନାହିଁ।