ଜମି ହସ୍ତାନ୍ତର ପରେ ପ୍ରକଳ୍ପ କାର୍ଯ୍ୟରେ ହେବ ଅଗ୍ରଗତି: ରେଳମନ୍ତ୍ରୀ

ଲୋକସଭା ପ୍ରଶ୍ନକାଳରେ କଳାହାଣ୍ଡି ଇଲେକ୍‌ଟ୍ରିକ ଲୋକୋ ପିରିୟଡିକାଲ୍‌ ଓଭରହାଉଲିଂ ୱାର୍କସପ୍‌ ପ୍ରସଂଗ

ନୂଆଦିଲ୍ଲୀ : କଳାହାଣ୍ଡିର ‘ଇଲେକଟ୍ରିକ ଲୋକୋ ପିରିୟଡିକାଲ୍‌ ଓଭରହାଉଲିଂ ୱାର୍କସପ୍‌’ ପ୍ରକଳ୍ପକୁ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଅନେକ ଆନୁସଙ୍ଗିକ ୟୁନିଟ୍‌ ମଧ୍ୟ ସ୍ଥାପନ ହୋଇପାରିବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଯେତିକି ଜମି ପ୍ରଦାନ କରାଯାଇଛି, ସେହି ଜମିଗୁଡିକର ଡିଜିପିଏ ସର୍ଭେ କରାଯାଇଛି। କିଛି ଜଙ୍ଗଲ ଜମି ପ୍ରସଙ୍ଗ ରହିଛି। ଷ୍ଟେଜ-୧ ମଂଜୁରିର ଆବଶ୍ୟକତା ରହିଛି। କିଭଳି ପ୍ରକଳ୍ପ ପାଇଁ ଜମି ଉପଲବ୍ଧ ହୋଇପାରିବ, ସେ ନେଇ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି। ଆଜି ଲୋକସଭାରେ ପ୍ରଶ୍ନକାଳରେ ପ୍ରକଳ୍ପ କାର୍ଯ୍ୟର ବିଳମ୍ବତାକୁ ନେଇ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ପ୍ରଶ୍ନର ମୌଖିକ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ପ୍ରକଳ୍ପ ବାବଦରେ ସୂଚନା ଦେଇ କେନ୍ଦ୍ର ରେଳମନ୍ତ୍ରୀ ଲିଖିତ ଉତ୍ତରରେ ଦର୍ଶାଇଥିଲେ ଯେ ପ୍ରକଳ୍ପକୁ ୨୦୧୭-୧୮ ବଜେଟ୍‌ରେ ସ୍ବୀକୃତି ଦିଆଯାଇଥିଲା। ଯାହାକି ଓଡ଼ିଶା ସରକାରଙ୍କ ଦ୍ବାରା ଜମି ହସ୍ତାନ୍ତର ହେବା ପରେ କାର୍ଯ୍ୟକାରୀ ହେବାର ପ୍ରସ୍ତାବ ଥିଲା। ପ୍ରକଳ୍ପର ବ୍ୟୟ ବରାଦ ୧୮୬.୩୭ କୋଟି ଟଙ୍କାକୁ ଧାର୍ଯ୍ୟ କରାଯାଇଛି। ୱାର୍କସପ୍‌ର ସ୍ଥାପନ ତଥା ରେଳ ଯୋଗାଯୋଗ ପାଇଁ ଆବଶ୍ୟକଥିବା ୩୨୮.୩୫ ଏକର ଜମିରୁ ଓଡ଼ିଶା ସରକାର ଚାରିଟି ପର୍ଯ୍ୟାୟରେ ୧୪୧.୦୭ ଏକର ଜମି ରେଲୱେକୁ ହସ୍ତାନ୍ତର କରଛନ୍ତି। ଜମି ହସ୍ତାନ୍ତର କାର୍ଯ୍ୟ ସଂପୂର୍ଣ୍ଣ ହେଲେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ହେବ।

ମନ୍ତ୍ରୀଙ୍କ ସୂଚନା ହେଲା, ପ୍ରକଳ୍ପକୁ ଆରମ୍ଭ କରିବା ପାଇଁ ୨୦୨୧-୨୨ ବଜେଟ୍‌ରେ ୩.୨୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଅପର ପକ୍ଷେ ସାଂସଦ ଶ୍ରୀ ପଣ୍ଡା ପ୍ରକଳ୍ପ ପାଇଁ ଉପଲବ୍ଧ ହୋଇଥିବା ୪୭ ପ୍ରତିଶତ ଜମିରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ୨୦୧୭-୧୮ରୁ ପ୍ରକଳ୍ପକୁ ମଂଜୁରି ମିଳିଥିବାବେଳେ କାର୍ଯ୍ୟ ଆରମ୍ଭ ନ ହେବା ଉଦ୍‌ବେଗଜନକ ଓ ବିଡ଼ମ୍ବନାର ବିଷୟ ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ। କେନ୍ଦ୍ର ରେଳମନ୍ତ୍ରୀ ପ୍ରକଳ୍ପ ପାଇଁ ଜମି ଉପଲବ୍ଧର ସ୍ଥିତିକୁ ଅବଗତ କରାଇବା ସହିତ ରାଜ୍ୟ ସରକାରରେ ସାଂସଦଙ୍କ ପ୍ରଭାବ ଥିବାରୁ ଜମି ଯେତେ ଶୀଘ୍ର ହାସଲ କରାଯାଇପାରିବ ସେ ନେଇ ନିଜ ଆଡ଼ୁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ।

ବସନ୍ତ ପଣ୍ଡାଙ୍କୁ ଉତ୍ତମ ମିତ୍ର କହିଲେ ରେଳ ମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଲୋକସଭାରେ ପ୍ରବଳ ହୋହଲ୍ଲା ମଧ୍ୟରେ ଗୋଟିଏ ଘଣ୍ଟାର ପ୍ରଶ୍ନକାଳ ଜାରି ରହିଥିଲା । ପ୍ରଶ୍ନକାଳରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କିଛି ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଉତ୍ତର ଦେବା ସମୟରେ ଶ୍ରୀ ପଣ୍ଡାଙ୍କୁ ଉତ୍ତମ ମିତ୍ର କହିବା ସହିତ ସେ ଯେତେବେଳେ ବିଜେପିରେ ଯୋଗଦେଲେ, ସେହି ସମୟରେ ଶ୍ରୀ ପଣ୍ଡା ରାଜ୍ୟ ବିଜେପିର ସଭାପତି ଥିବା କହିଥିଲେ। କହୁ କହୁ ସେ ପୁଣି କହିଦେଇଥିଲେ, ମାନନୀୟ ସଦସ୍ୟଙ୍କ ରାଜ୍ୟ ସରକାରରେ ବହୁତ ପ୍ରଭାବ ରହିଛି। ସେ ତାଙ୍କୁ ନିବେଦନ କରିବେ ସେ (ଶ୍ରୀ ପଣ୍ଡା) ନିଜ ତରଫରୁ ଜୋର ଦେଇ ପ୍ରୟାସ କରିବେ କୌଣସି ଉପାୟରେ ଜମି ‘ଜଲଦିରୁ ଜଲଦି’ ମିଳିଯିବ।

ସେହିଭଳି ରାଜସ୍ଥାନ ଦୌସାର ବିଜେପି ସାଂସଦ ଜସକୌର ମିନା ଯେତେବେଳେ ତାଙ୍କର ସଂସଦୀୟ କ୍ଷେତ୍ରର ରେଳ ସଂପର୍କିତ ପ୍ରଶ୍ନ କରିଥିଲେ, ଉତ୍ତର ଦେବା ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଜସକୌର ମିନାଙ୍କୁ ଅତ୍ୟନ୍ତ ସମ୍ମାନୀୟା ସାଂସଦ ବୋଲି କହିବା ସହିତ ସେ ତାଙ୍କୁ ପୂଜ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଗାଇଡ୍‌ କରିଆସୁଛନ୍ତି ବୋଲି କହିଥିଲେ। ସାଂସଦଙ୍କ ଯାହା ବି ସମସ୍ୟା ରହିଛି, ତାଙ୍କ ସହିତ ଅଲଗା ବୈଠକ କରି ଯାହା ପଦକ୍ଷେପ ନେବାର ଥିବ ତାହା ସେ ନେବେ ବୋଲି ରେଳମନ୍ତୀ ଶ୍ରୀ ବୈଷ୍ଣବ କହିଥିଲେ।

ସମ୍ବନ୍ଧିତ ଖବର